ରବିବାର ଦିନ ଏହିଭଳି ସୂର୍ଯ୍ୟଦେବଙ୍କୁ ଆରାଧନା କଲେ ପୂର୍ଣ୍ଣ ହୋଇଥାଏ ମନୋସ୍କାମନା
24/05/2020 at 11:26 AM

ଭୁବନେଶ୍ୱର ୨୪/୦୫ : ରବିବାର ସୂର୍ଯ୍ୟଦେବଙ୍କ ଆରାଧନା ପାଇଁ ସମର୍ପିତ | ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ରବିବାର ସୂର୍ଯ୍ୟଦେବଙ୍କ ଦିନ | ରବିବାର ଦିନ ଶ୍ରଦ୍ଧାର ସହ ସୂର୍ଯ୍ୟଦେବଙ୍କୁ ଆରାଧନା କଲେ ସୂର୍ଯ୍ୟଦେବଙ୍କ କୃପା ପ୍ରାପ୍ତ ହୋଇଥାଏ | ଜୀବନରେ ସୁଖ-ସମୃଦ୍ଧି, ଧନ-ସମ୍ପତ୍ତି ଏବଂ ଶତ୍ରୁଙ୍କ ଠାରୁ ସୁରକ୍ଷା ପାଇଁ ରବିବାର ବ୍ରତ ପାଳନ କରାଯାଇଥାଏ | ରବିବାର ବ୍ରତ ପାଳନ କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ | ପୌରାଣିକ ଧାର୍ମିକ ଗ୍ରନ୍ଥରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବାର ବିଶେଷ ମହତ୍ୱ ରହିଥିବା ଦର୍ଶାଯାଇଛି | ପ୍ରତିଦିନ ସକାଳୁ ତମ୍ବା ଢାଳରେ ଜଳ ନେଇ ସେଥିରେ ନାଲି ଫୁଲ, କିଛି ଚାଉଳ ମିଶାଇ ଶ୍ରଦ୍ଧାର ସହ ସୂର୍ଯ୍ୟଦେବଙ୍କ ମନ୍ତ୍ର ଜପ କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବା ଉଚିତ | ଅର୍ଘ୍ୟ ପ୍ରଦାନ କରିବା ଦ୍ୱାରା ସୂର୍ଯ୍ୟ ଭଗବାନ ପ୍ରସନ୍ନ ହୋଇଥାନ୍ତି | ସୂର୍ଯ୍ୟଦେବ ଆୟୁଷ, ଧନ-ଧାନ୍ୟ, ସନ୍ତାନ, ଯଶ, ଐଶ୍ୱର୍ଯ୍ୟ, ବୈଭବ, ସୌଭାଗ୍ୟ ପ୍ରଦାନ କରିଥାନ୍ତି |

ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ ଓ ଆରାଧନା କରିବା ପାଇଁ ଏହିସବୁ ନିୟମ ପାଳନ କରିବା ଉଚିତ
ସୂର୍ଯ୍ୟଦୟ ପୂର୍ବରୁ ବିଛଣା ପରିତ୍ୟାଗ କରି ସ୍ନାନ କରି ଶୁଦ୍ଧ ହେବା ଆବଶ୍ୟକ
ସ୍ନାନ କରି ସୂର୍ଯ୍ୟ ନାରାୟଣଙ୍କୁ ତିନିଥର ଅର୍ଘ୍ୟ ପ୍ରଦାନ କରି ପ୍ରଣାମ କରନ୍ତୁ
ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ପୂର୍ବରୁ ପୁଣିଥରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ
ଶ୍ରଦ୍ଧାପୂର୍ବକ ସୂର୍ଯ୍ୟଙ୍କ ମନ୍ତ୍ର ଜପ କରନ୍ତୁ
ନିୟମିତ ଆଦିତ୍ୟ ହୃଦୟ ପାଠ କରନ୍ତୁ
ଉତ୍ତମ ସ୍ୱାସ୍ଥ୍ୟ, ଚକ୍ଷୁ ରୋଗରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ନେତ୍ରଉପନିଷଦ ପାଠ କରିବା ଉଚିତ
ରବିବାର ଦିନ ତେଲ, ଲୁଣ ନ ଖାଇ ଗୋଟିଏ ସମୟ ଭୋଜନ କରଲେ ସୁଫଳ ମିଳିଥାଏ