Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାରିପଦାର ସହରତଳି ଅଞ୍ଚଳରେ ପସିଲା ବନ୍ୟାପାଣି, ଆଶ୍ରୟସ୍ଥଳୀକୁ ଲୋକଙ୍କୁ କରାଗଲା ସ୍ଥାନାନ୍ତର

26/08/2020 at 2:49 PM

ବାରିପଦା ୨୬।୮: ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଉତ୍ତର ଓଡିଶାରେ ବର୍ଷାର ପ୍ରଭାବ ଧିରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ କେବଳ ବାରିପଦାରେ ୧୮୬ ମି.ମି. ବର୍ଷା ରେକର୍ଡ କରାଯାଇଛି । ମଙ୍ଗଳବାର ରାତି ତମାମ ବର୍ଷା ହେବା ଫଳରେ ବାରିପଦାର ସହରତଳି ଅଞ୍ଚଳର ୭ନଂ, ୮ନଂ ଓ ୧୭ନଂ ୱାର୍ଡରେ ବନ୍ୟାପାଣି ପ୍ରବେଶ କରିଛି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ । ସେହି ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରି ମଧୁବନ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ବହୁ ଲୋକ ନିଜେ ମଧ୍ୟ ସୁରକ୍ଷିତ ସ୍ଥାନକୁ ଚାଲି ଆସିଥିବାର ଦେଖାଯାଇଛି । ଜିଲ୍ଲା ପ୍ରଶାସନ ବନ୍ୟା ପରିସ୍ଥିତି ଉପରେ ନଜର ରଖିବା ସହିତ ତଳି ଅଞ୍ଚଳଗୁଡିକରେ ଲୋକଙ୍କୁ ସତର୍କ କରାଇଛନ୍ତି । ଏହି ସବୁ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ବନ୍ୟା ପରିସ୍ଥିତି ଲୋକଙ୍କ ସହିତ ପ୍ରଶାସନର ମଧ୍ୟ ଚିନ୍ତା ବଢାଇ ଦେଇଛି ।

ବୁଧବାର ବଡିଭୋରରୁ ସମସ୍ତ ସହରତଳି ଅଞ୍ଚଳ ଉପରେ ପ୍ରଶାସନର ନଜର ରହିଛି । ତେବେ କରୋନା ସଂକ୍ରମଣକୁ ନଜରରେ ରଖି ସାମାଜିକ ଦୂରତା ସହିତ ବନ୍ୟା ବିପନ୍ନମାନଙ୍କୁ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା ସହିତ ଥଇଥାନ କରିବା ପ୍ରଶାସନ ଲାଗି ନୂଆ ଚ୍ୟାଲେଞ୍ଜ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଧନଜୀବନ କ୍ଷତି ହୋଇନଥିଲେ ମଧ୍ୟ ଝିପିଝିପି ବର୍ଷା ଲାଗି ରହିଥିବାରୁ ଆଗାମୀ ୨୪ ଘଣ୍ଟାରେ ହେବାକୁ ଥିବା ଲଗାଣ ବର୍ଷା ସମସ୍ତଙ୍କୁ ଆଶଂକା ଓ ଚିନ୍ତାରେ ପକାଇଛି ।

   Related Posts