‘ଫନି’ ପ୍ରଭାବରେ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବନ୍ୟା ଆଶଙ୍କା

Published By : Prameya-News7 Bureau | May 01, 2019 IST

ଭୁବନେଶ୍ବର ୧|୫: ‘ଫନି’ ପ୍ରଭାବରେ ୨ ଜିଲ୍ଲାରେ ବନ୍ୟା ସମ୍ଭାବନା ରହିଛି । ୨ଶହରୁ ଅଧିକ ମିଲିମିଟର ବର୍ଷା ହେଲେ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବନ୍ୟା ସମ୍ଭାବନା ରହିଛି । ସାମୁଦ୍ରିକ ଝଡ଼ ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ । ଫଳରେ କେତେକ ନଦୀର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି । ବିଶେଷ କରି ଗଞ୍ଜାମ ଓ ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ରାଜ୍ୟ ସରକାର ଅନୁମାନ କରୁଛନ୍ତି । ତେଣୁ ବାତ୍ୟା ସହ ବନ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି ।

ବାତ୍ୟା ପ୍ରଭାବିତ ଅଂଚଳଗୁଡିକରେ ରହୁଥିବା ଲୋକଙ୍କୁ ଏବଂ ସମୁଦ୍ର ଉପକୂଳବର୍ତ୍ତୀ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ ।  ପ୍ରତ୍ୟେକ ବାତ୍ୟା ଆଶ୍ରୟସ୍ଥଳୀରେ ୧ ହଜାରରୁ ଅଧିକ ଲୋକ ରହିବାର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତରଣ କରାଯିବା ନେଇ ଚେଷ୍ଟା କରାଯାଉଛି । ଏହାଛଡା ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ସାଢେ ଦୁଇ ମିଟରର ଜୁଆର ମାଡି ଆସିବାର ସମ୍ଭାବନା ରହିଛି । ତେବେ ଗଂଜାମ ଅପେକ୍ଷା ବାଲେଶ୍ବରରେ ସମୁଦ୍ର ଜୁଆର ଅଧିକ ମାଡି ଆସିବା ନେଇ ସମ୍ଭାବନା ରହିଛି ବୋଲି କହିଛନ୍ତି ଏସଆରସି । ବାତ୍ୟା ‘ଫନି’କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହେଲ୍‌ପଲାଇନ୍ ନମ୍ବର ୧୦୭୦ ଏବଂ ୧୦୬୬ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.