ରାଜ୍ୟର ଅନେକ ସ୍ଥାନରେ ବନ୍ୟା ସ୍ଥିତି : ମାଲକାନଗିରି ବାହ୍ୟ ଜଗତରୁ ବିଛିନ୍ନ, ଆହୁରି ୨୪ ଘଣ୍ଟା ବର୍ଷା ସମ୍ଭାବନା

Published By : Prameya-News7 Bureau | August 16, 2020 IST

ଭୁବନେଶ୍ୱର, ୧୬|୦୮:  ଲଗାଣ ବର୍ଷାରେ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମାଲକାନଗିରି ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ବେଳେ କୋରାପୁଟ ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ବ୍ରାହ୍ମଣୀ ନଦୀ ଫୁଲୁ ଥିବାରୁ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ଅନେକ ଗାଁ ପାଣି ଘେରରେ ରହିଛି । ପ୍ରବଳ ବର୍ଷାରେ କାନ୍ଥ ପଡ଼ି ବଲାଙ୍ଗିର ଜିଲ୍ଲାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଆଗାମୀ ୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପ୍ରବଳ ବର୍ଷା ଯୋଗୁଁ ବାହ୍ୟଜଗତରୁ ବିଛିନ୍ନ ମାଲକାନଗିରି । ଗତ ପାଞ୍ଚ ଦିନ ଧରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ପୋଟେରୁ, କାଙ୍କୁରୁକୋଣ୍ଡା, ଏମଭି-96, କନ୍ୟାଆଶ୍ରମ, କୋରୁକୋଣ୍ଡା ଓ ତାର୍ଲାକୋଟା ପୋଲ ଉପରେ ୪ରୁ ୫ ଫୁଟ ପାଣି ଚାଲୁଛି । ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରିଠାରୁ ମୋଟୁ ଓ ରାଜ୍ୟ ରାଜପଥର ମାଲକାନଗିରିଠାରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଶନିବାର  ଏକ ମାଲବାହୀ ଟ୍ରକ କାଙ୍କୁରୁକୋଣ୍ଡା ପୋଲ ତଳକୁ ଖସିବା ପରେ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି ।ସେହିପରି ୩ ଦିନ ହେଲା ବର୍ଷା ଜାରି ରହିଥିବାରୁ ବେହାଲ ଜୟପୁର ସହର ସମେତ କୋରାପୁଟ ଜିଲ୍ଲାର ଅନେକ ଅଞ୍ଚଳ । ଜୟପୁର ସହର ତଳି ଅଞ୍ଚଳରେ ଘରେ ଲହଡ଼ି ମାରୁଛି ପାଣି । ବରଗଡ ଜିଲ୍ଲା ପଦ୍ମପୁର ରଜାପଡା ନାଳରେ ବନ୍ୟାପାଣି ଚାଲୁଥିବାରୁ ପଦ୍ମପୁର-ବଲାଙ୍ଗୀର ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଲେବିଡ଼ି ଜୋର ଉପରେ ପାଣି ବହୁଥିବାରୁ ଗାଇସିଲେଟ ବ୍ଲକରୁ ବଲାଙ୍ଗୀରକୁ ଯିବା ଆସିବା ଠପ୍ ହୋଇଯାଇଛି ।

ଲଗାଣ ବର୍ଷା ଯୋଗୁଁ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଦହିସରାଠାରେ ୪ ଫୁଟର ପାଣି ଜମି ରହିଛି । କଣ୍ଟିଆ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଠଗଡ଼ ସଠିଲୋ ପଞ୍ଚାୟତରେ ପୋଲ ଧୋଇନେଇଛି । ସେପଟେ ବାଙ୍କୀ-ଖୋର୍ଦ୍ଧା ରାସ୍ତାର ଢ଼ସଂରଠାରେ ୧ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଉପରେ ଲହଡି ମାରୁଛି ବର୍ଷା ଜଳ । ରାସ୍ତା କଡରେ ଥିବା ଅନେକ ଲୋକଙ୍କ ଘରେ ବର୍ଷାଜଳ ପଶିଯାଇଛି।  ଏପଟେ ବ୍ରାହ୍ମଣୀ ନଦୀ ଫୁଲୁ ଥିବାରୁ ଢେଙ୍କାନାଳ ଭୁବନ ବ୍ଲକର ନଦୀକୂଳିଆ ଗାଁରେ ପାଣି ମାଡ଼ିଯାଇଛି। ଆପ୍ରୋଚ ରୋଡ଼ ଭାସିଯିବାରୁ ଜୟପୁର ଗାଁ ଜଳବନ୍ଦୀ ହୋଇ ରହିଛି। ଗଣ୍ଡୁଆ ନାଳରେ ବନ୍ୟାଜଳ ଚାଲିଥିବାରୁ ଗଁନ୍ଦିଆ ବ୍ଲକର ମଠତେନ୍ତୁଳିଆ  ଓ ସରଙ୍ଗୀ ପଂଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଏପଟେ ଅନଗୁଳ ଜିଲ୍ଲାର ବଜ୍ରକୋଟ, ଝରାବେରିଣୀ କୁଳୁମା, ରେଙ୍ଗାଲି ଏବଂ ଏନ.ଟି.ପି.ସିର ହାଟିଙ୍ଗରେ ପାଣି ପଶିଛି। ସମଲ ବ୍ୟାରେଜରେ ଜଳସ୍ତର ବଢ଼ିବାରୁ, ଉପର ମୁଣ୍ଡରେ ଥିବା ସମାକୋଇ, ସିଙ୍ଗଡା ଏବଂ ଟିକିରା ନଦୀରେ ପାଣି ବଢୁଛି। ସଜାଗ ରହିବା ପାଇଁ ନଦୀ କୁଳିଆ ଲୋକଙ୍କୁ ଆଲର୍ଟ କରିଛନ୍ତି ବ୍ୟାରେଜ କର୍ତ୍ତୃପକ୍ଷ। କୋଶଳା କରୋଡା ରାସ୍ତାରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି। ଏପଟେ ବର୍ଷାରେ ସାଲେପୁର ଉଦୟପୁର ରାସ୍ତାର ୫୦ ଫୁଟ ଧୋଇଯିବାରୁ ଗାଁକୁ ଯାତାୟାତ ଠପ୍ ହୋଇଯାଇଛି। ଆଉ ଇଏ ହେଉଛି ଯାଜପୁରର ଚିତ୍ର । ଏଠି ମେଡିକାଲରେ ଜମି ରହିଛି ଆଣ୍ଠୁଏ ପାଣି ।  ଯାଜପୁର ପୌରାଞ୍ଚଳରେ ଥିବା କୋର୍ଟ ପରିସର, ଲଳିତଶ୍ବର ନଗରରେ ବର୍ଷା ଜଳ ଜମି ରହିଛି। ବରୀ, ବଡଚଣା ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଛି ।

ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ବଲାଙ୍ଗିର ଘୁନଘୁଟିପାଲି ଗାଁରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ମାଲକାନଗିରିରେ ସର୍ବାଧିକ ବର୍ଷା ହୋଇଛି । ଆଗାମୀ ୨୪ ଘଣ୍ଟା ପ୍ରବଳ ବର୍ଷିବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଓ କଲାହାଣ୍ଡି  ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଥିବାରୁ ହୀରାକୁଦ ଡ୍ୟାମ୍ ରେ ଜଳପତନ ବୃଦ୍ଧି ପାଉଛି । ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.