ଲଗାଣ ବର୍ଷାରେ ବେହାଲ ମାଲକାନଗିରି : କାଲିମେଳା ଓ ପଡ଼ିଆ ବ୍ଲକରେ ବନ୍ୟା ସ୍ଥିତି, ପୋଲ ଉପରେ ଚାଲିଛି ୩ ଫୁଟର ପାଣି
13/08/2020 at 9:00 AM

ମାଲକାନଗିରି ୧୩।୦୮: ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ କିଛି ଅଞ୍ଚଳ ଜଳମଗ୍ନ ହୋଇଯାଇଛି । କାଙ୍କୁରୁକୋଣ୍ଡା ଓ ଏମ.ଭି-୯୬ ଠାରେ ପୋଲ ଉପରେ ତିନି ଫୁଟ ପାଣି ପ୍ରବାହିତ ହେଉଛି । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ସେପଟେ ବର୍ଷା ପାଣିରେ ବୁଡିଲା ପୋଟେରୁ ପୋଲ । ପୋଲ ଉପରେ ୩ରୁ ୪ ଫୁଟ୍ ପାଣି ପ୍ରବାହିତ ହେଉଛି । ଉଭୟ ପାର୍ଶ୍ବରେ ଶତାଧିକ ଯାତ୍ରୀ ଓ ଗାଡି ଅଟକି ରହିଛି। ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ପହଞ୍ଚି ପୋଲର ଦୁଇ ପାର୍ଶ୍ବକୁ ସିଲ୍ କରିଛି । ଏହା ସହ ଜିଲ୍ଲାର ପୋଟେରୁ, ତାରଲାକୋଟା, କନ୍ୟାଆଶ୍ରମ ଆଦି ନଦୀଗୁଡିକରେ ମଧ୍ୟ ଜଳ ସ୍ତର ବିପଦ ସଂକେତ ଛୁଇଁଛି ।

ଜିଲ୍ଲାର କାଲିମେଳା ଓ ପଡ଼ିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀ ତଥା ନାଳଗୁଡ଼ିକରେ ଜଳପତ୍ତନ ଅସ୍ବାଭାବିକ ଭାବେ ବୃଦ୍ଧି ପାଇ ବହୁ ଅଞ୍ଚଳରେ ପାଣି ପଶିଯାଇଛି । ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କାଲିମେଳା ବ୍ଲକ୍ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।