ବିଭିନ୍ନ ନଦୀରେ ବୃଦ୍ଧି ପାଉଛି ଜଳସ୍ତର : ବୈତରଣୀ ବିପଦ ସଙ୍କେତ ଉପରେ, ସେପଟେ ମାଲକାନଗିରିରେ ବନ୍ୟା ସ୍ଥିତି ଗମ୍ଭୀର

Published By : Prameya-News7 Bureau | August 21, 2020 IST

ମାଲକାନଗିରି,୨୧।୦୮:  ମାଲକାନଗିରି ଜିଲ୍ଲାର ମୋଟୁ ଏବଂ ପଡିଆ ବ୍ଳକରେ ବନ୍ୟା ସ୍ଥିତି ଗମ୍ଭୀର ।  ୯ ଦିନ ହେଲା ଲାଗି ରହିଛି ବର୍ଷା ।  ଅଧିକାଂଶ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।  ଗୋଦାବରୀ ନଦୀରେ ଜଳ ସ୍ତର ବଢୁଥିବାରୁ ସେଠାରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ମୋଟୁ ଏବଂ ପଡିଆ ଅଞ୍ଚଳର ପ୍ରାୟ ୩୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି ।  ୩୨୬ ନମ୍ବର ଜାତୀୟ ରାଜପଥରେ ମାଲକାନଗିରି-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି ।

ସାବେରୀ ନଦୀର ଝାପରା ପୋଲ ଉପରେ ପାଣି ଚାଲୁଥିବାରୁ ମାଲକାନଗିରି- ସୁକୁମା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସୁକୁମା ସିଆରପିଏଫ କ୍ୟାମ୍ପ ଭିତରେ ବନ୍ୟା ଜଳ ପଶିଯିବାରୁ ଯବାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଯୋଡାଆମ୍ବ ପଞ୍ଚାୟତକୁ ଯୋଗାଯୋଗ ଠପ୍ ହୋଇଯାଇଛି । ଜରୁରୀ କାମ ପାଇଁ ଲୋକେ ଜୀବନକୁ ବାଜି ଲଗାଇ କାଠ ସିଡି ସାହାଯ୍ୟରେ ବ୍ରିଜ ଉପରକୁ ଚଢି ଯାଆସ କରୁଛନ୍ତି । ସ୍ଥାନୀୟ ପ୍ରଶାସନ ବିପନ୍ନଙ୍କ ପାଖରେ ପହଁଞ୍ଚି ନଥିବା ଅଭିଯୋଗ ହୋଇଛି ।

{"id":318149,"width":673,"height":375,"sizeSlug":"large"}

ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ଉପରେ ବହୁଛି । ତଳିଆ ଅଞ୍ଚଳର ଲୋକେ ଭୟଭିତ ଅବସ୍ଥାରେ ରହିଛନ୍ତି। ସେହିପରି ମଥାନୀଠାରେ ଜଳକା ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଫଳରେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଜଳମଗ୍ନ ହୋଇଯାଇଛି । ପଳତାପଣ୍ଡାରେ ନଦୀ ବନ୍ଧରେ ଅତଡା ଖସିବାରୁ ଜଳସମ୍ପଦ ବିଭାଗ ତରଫରୁ ବନ୍ଧ ମରାମତି କରଯାଇଛି । ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ଦେଇ ପ୍ରବାହିତ କୋଏଲ ଏବଂ ଶଙ୍ଖ ନଦୀରେ ବଢ଼ଛି ଜଳସ୍ତର । ଶଙ୍ଖ ଉପରେ ନିର୍ମାଣ ହୋଇଥିବା ମନ୍ଦିରା ଡ୍ୟାମର ୬ଟି ଗେଟ୍ ଖୋଲିଛି । ସେହିପରି ତରକେରା ଡ୍ୟାମରେ ଖୋଲାଯାଇଛି ୩ଟି ଗେଟ । ଯାହା ଫଳରେ ବ୍ରାହ୍ମଣୀ ନଦୀ ଫୁଲିଛି। ସେହିପରି ଢେଙ୍କାଳନ ଜିଲ୍ଲାର କିଛି ଗାଁ ମଧ୍ୟ ପାଣିରେ ବୁଡି ରହିଛି । ସେହିପରି ମହାନଦୀରେ ବନ୍ୟା ପାଣି ବାଙ୍କିର ତଳିଆ ଅଂଚଳକୁ ଜଳମଗ୍ନ କରିଦେିଛି । ଶହ ଶହ ହେକ୍ଟର ଚାଷଜମି ବନ୍ୟା ପାଣିରେ ବୁଡି ରହିଛି ।  ବିଲିପଡାରୁ ତଳବସ୍ତ ଦେଇ ଖୋର୍ଦ୍ଧା ଯିବା ରାସ୍ତାରେ ୩ ଫୁଟର ବନ୍ୟାଜଳ ଚାଲୁଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

କଟକ ଜିଲା ଉତ୍ତରକୁଳ ପଞ୍ଚାୟତ ପିଇଁପୁର ନିକଟରେ ମହାନଦୀ କରାଳ ରୂପ ଧାରଣ କରି କୁଳ ଖାଇବା ଫଳରେ ନଦୀ ତଟବର୍ତୀ ଗାଁର ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ପରିସ୍ଥିତି ଅଧିକ ଜଟିଳ ହେବାରୁ ପ୍ରଶାସନ ପକ୍ଷରୁ ଅତଡା ଖାଉଥିବା ସ୍ଥାନରେ ଦୁଇ ଦିନ ହେଲା ବାଲି ବସ୍ତା ପକାଯାଉଛି । ସେହିପରି ପାରାଦୀପ ଉପକଣ୍ଠ ନୂଆଗଡ ପଞ୍ଚାୟତ ବିଜୟଚାନ୍ଦପୁର ଗାଁରେ ପଶିଛି ନଦୀ ପାଣି । ଶତାଧିକ ଲୋକ ଏବେ ପାଣି ଘେରରେ । ୨୩ରେ ଆସୁଛି ଆଉ ଏକ ଲଘୁଚାପ । ଏହା ସତ୍ତ୍ବେ ବି ରାଜ୍ୟରେ ବନ୍ୟା ଅଶାଙ୍କା ନଥିବା କହିଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.