ଲଗାଣ ବର୍ଷାରେ ମାଲକାନଗିରି ଓ କନ୍ଧମାଳରେ ବନ୍ୟା ପରିସ୍ଥିତି : ଏସଆରସି କହିଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ
8/08/2019 at 9:23 AM

ଭୁବନେଶ୍ବର ୮|୮: ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲା କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଗଜପତି ଏବଂ କଳାହାଣ୍ଡିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ବିଲାମାଳ ପଞ୍ଚାୟତ ମୁଣ୍ଡିମାସ୍କା ଗାଁର ଗୋଟିଏ ପରିବାରର ୨ ଜଣ ନିଖୋଜ ହୋଇଯାଇଥିବା ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ବନ୍ୟା ଜଳରେ ୪୮ ବର୍ଷର ଦୀନବନ୍ଧୁ ମାଝୀ ଏବଂ ତାଙ୍କ ୩୦ ବର୍ଷ ବୟସ୍କ ପୁଅ ପୂର୍ଣ୍ଣେନ୍ଦୁ ମାଝୀ ନିଖୋଜ ଅଛନ୍ତି । ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀର ଜଳସ୍ତର, ଗୁଣପୁର ଏବଂ କାଶୀପୁରଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।
ଏସଆରସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଗୁଣପୁରଠାରେ ବଂଶଧାରାର ବିପଦ ସଙ୍କେତ ୮୪.୬ ମିଟର ଥିବା ବେଳେ, ନଦୀର ଜଳସ୍ତର ୮୪.୯ ମିଟର ଥିଲା । କାଶୀନଗରଠାରେ ବିପଦ ସଙ୍କେତ ୫୪.୬ ମିଟର ଥିବାବେଳେ, ୫୫.୬୮ ମିଟରରେ ପ୍ରବାହିତ ହେଉଥିଲା । ଜଳବନ୍ଦୀ ଏବଂ ବନ୍ୟା ଆଶଙ୍କା ଯୋଗୁଁ ରାୟଗଡ଼ା ଜିଲ୍ଲାରେ ୩୬୫, ଗଜପତିରେ ୩୨୫, କନ୍ଧମାଳରେ ୧୩୦, ମାଲକାନଗିରିରେ ୨ ହଜାର ୧୭୨ ଏବଂ କଳାହାଣ୍ଡି ଜିଲ୍ଲାରେ ୧୦୫ ଜଣଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।
ଅତ୍ୟଧିକ ବନ୍ୟା ପ୍ରଭାବିତ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ମାଗଣା ଖାଦ୍ୟ ଯୋଗାଇ ଦିଆଯାଉଥିବାର ସୂଚନା ମିଳିଛି । ଏହା ବ୍ୟତୀତ, ପ୍ରଭାବିତ ଅଞ୍ଚଳରେ ୭ଟି ଓଡ୍ରାଫ୍ ଟିମ୍ ଏବଂ ସଂପୃକ୍ତ ଜିଲ୍ଲାଗୁଡ଼ିକର ଅଗ୍ନିଶମ ବିଭାଗ ଟିମଗୁଡ଼ିକୁ ନିୟୋଜିତ କରାଯାଇଛି । ବନ୍ୟାର ମୁକାବିଲା ପାଇଁ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।