Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଲକାନଗିରିରେ କମିଛି ବର୍ଷା : ମୋଟୁ ବନ୍ୟା ପରିସ୍ଥିତିରେ ଆସିନି ସୁଧାର, ତଥାପି ପାଣି ଘେରରେ ଅନେକ ଗାଁ

22/08/2020 at 7:12 AM

ମାଲକାନଗିରି ୨୨।୦୮: ମାଲକାନଗିରି ଜିଲ୍ଲାରେ କମିଛି ବର୍ଷା । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ଗମନା ଗମନ ସ୍ବାଭାବିକ ହୋଇଛି । ହେଲେ ୯ ଦିନ ପରେବି ମୋଟୁ ବନ୍ୟା ପରିସ୍ଥିତିରେ କୌଣସି ସୁଧାର ଆସିନାହି । ବନ୍ୟା ପାଣିରେ ବୁଡି ରହିଛି ମୋଟୁ ତହସିଲର ଅନେକ ଅଞ୍ଚଳ । ସିଲେରୁ ଓ ସାବେରୀ ନଦୀର ବନ୍ୟା ପାଣି ଯୋଗୁଁ ପୁରୁଣା ମୋଟୁ, ବିନାୟକପୁର, ଆଲମା, ପେଟା, ମୁରାଳିଗୁଡା ଓ ଜିଲେନଗୁଡା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ଦୁଇ ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଥିବା ବେଳେ ଅନେକ ଲୋକଙ୍କ ଘର ଦ୍ବାର ଭାଙ୍ଗିଯାଇଛି ।

ମୋଟୁ ଅଞ୍ଚଳର ୨୫୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ବନ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି । ହେଲେ ସିଲେରୁ ନଈ କୁଳରେ ବାସ କରୁଥିବା କାଲିମେଳା ବ୍ଲକର କିଛି ଲୋକଙ୍କ ଘର ବନ୍ୟା ପାଣିରେ ବୁଡି ରହିଥିବା ବେଳେ ସେମାନଙ୍କ ପାଖରେ କୌଣସି ସରକାରି ସହାୟତା ପହଞ୍ଚି ପାରିନାହି । ପିଲା ଛୁଆଙ୍କୁ ନେଇ ରାଜ ରାସ୍ତା ଉପରେ ଗତ ୯ ଦିନ ଧରି ଜିବନ ବିତାଉଛନ୍ତି ଏମାନେ । ଗୋଦାବରି ନଦୀରେ ବନ୍ୟା ଆସିବା ପରେ ସେଠାରୁ ଠିକ ଭାବେ ଜଳ ନିଷ୍କାସନ ହୋଇ ପାରୁନଥିବାରୁ ମୋଟୁ ଅଞ୍ଚଳରେ ପାଣି ଫୁଲିବାରେ ଲାଗି ।

ପରିସ୍ଥିତି ଏମିତି ହୋଇଛି ଯେ ମୁଖ୍ୟ ରାସ୍ତା ଉପରେ ଏବେ ୨୦ ଫୁଟ ବନ୍ୟା  ପାଣି ପ୍ରବାହିତ ହେଉଛି । ଓଡିଶାର ମୁଗିପଏଣ୍ଟ ଠାରୁ ଆରମ୍ଭ କରି ଛତିଶଗଡର ଖୁଣ୍ଟା ଓ ଆନ୍ଧ୍ର ପ୍ରଦେଶର ଚିନ୍ତୁରକୁ ବନ୍ୟା ପାଣି ଏକାଠି କରି ଦେଇଛି । ଆଗରୁ ଏମିତି ହେଉନଥିଲା ହେଲେ ପୋଲାଭରମ ପ୍ରକଳ୍ପ ଯୋଗୁଁ ଗତ କିଛି ବର୍ଷ ଧରି ମୋଟୁ ଅଞ୍ଚଳରେ ଏପରି ବନ୍ୟା ହେଉଥିବା ସ୍ଥାନିୟ ଲୋକେ କହିଛନ୍ତି ।

   Related Posts