ବନ୍ୟାରେ ଯାଜପୁର ବେହାଲ,ବ୍ରାହ୍ମଣୀ ଓ ଖରସ୍ରୋତାରେ ୧୫ ଘାଇ, ବାଲେଶ୍ୱର ଓ ଭଦ୍ରକରେ ପାଣି କମୁଛି କିନ୍ତୁ ଦୁର୍ଦ୍ଦଶା ଯାଇନି

Published By : Prameya-News7 Bureau | August 28, 2020 IST

ଭୁବନେଶ୍ୱର, ୨୮।୦୮: ଜଟିଳ ହେଉଛି ଯାଜପୁର ସ୍ଥିତି । ଦୁର୍ଦ୍ଦଶା ବଢାଇଛି ବ୍ରାହ୍ମଣୀ, ଖରସ୍ରୋତା । ୧୫ ଟି ସ୍ଥାନରେ ହୋଇଛି ଘାଇ । ବେହାଲ ହେଲାଣି ଲୋକଙ୍କ ଅବସ୍ଥା । ରସୁଲପୁର ବ୍ଲକ ବନ୍ଧଡିହିର । ବନ୍ୟା ମାଡରେ ତାସ ଘର ଭଳି ଭୁସୁଡି ପଡୁଛି ୨ ମହଲା କୋଠା । ପାଣିରେ ସ୍ରୋତ ଏଠି କେତେଯେ ପ୍ରଖର ତାହା ବୟାନ କରୁଛି ଏ ଦୃଶ୍ୟ । ବରୀ, ରସୁଲପୁର  ଏବଂ ଯାଜପୁର ବ୍ଲକ ସ୍ଥିତି ସଂଗୀନ ହେବାରେ ଲାଗିଛି । ବରୀକୁ ଏକ ପ୍ରକାର ଯୋଗାଯୋଗ ବିଚ୍ଛିନ ହୋଇଯାଇଛି । ଗାଁରେ ପାଣି ପଶିଯିବାରୁ ଅନେକ ଲୋକେ ଗୃହପାଳିତ ପଶୁଙ୍କୁ ଧରି ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି ।  ୧୬୦ ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ୨୫ ହଜାରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଲକ୍ଷାଧିକ ଲୋକ ଏବେ ଜଳବନ୍ଦୀ ଅଛନ୍ତି । ପଣସା ପଞ୍ଚାୟତ ବେହେରାପାଟଣା ଗାଁରେ ମାଟି କାନ୍ଥ ପଡି ୨ ମାସର ଶିଶୁର ମୃତ୍ୟୁ ହୋଇଛି ।

{"id":321794,"sizeSlug":"large"}

ବାଲେଶ୍ବର ଏବଂ ଭଦ୍ରକରେ ପାଣି କମିଥିବା ବେଳେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । ବୁଡି ଅଞ୍ଚଳ ଲୋକେ ପିଲାଛୁଆଙ୍କୁ ଧରି ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି । ଜିଲ୍ଲାରେ ସୁବର୍ଣ୍ଣରେଖାକୁ ଛାଡି ଦେଲେ ଅନ୍ୟସବୁ ନଦୀର ଜଳସ୍ତର ହ୍ରାସ ପାଉଛି । ସୁବର୍ଣ୍ଣରେଖା ବନ୍ୟା ଭୋଗରାଇ ଏବଂ ବାଲିଆପାଳ ବ୍ଲକକୁ ବେଶୀ କ୍ଷତିଗ୍ରସ୍ତ କରିଛି । ଏହି ଦୁଇ ବ୍ଲକର ୮୦ରୁ ଅଧିକ ଗାଁ ଜଳମଗ୍ନ ହୋଇଛି । ସେହିପରି ବୈତରଣୀରେ ଜଳସ୍ତର ହ୍ରାସ ପାଇବାରୁ ଭଦ୍ରକ ଜିଲ୍ଲାର ଅନେକ ସ୍ଥାନରେ ସ୍ଥିତି ସୁଧୁରୁଛି । ଭଣ୍ଡାରିପୋଖରୀ ଏବଂ ଧାମନଗରେ କିନ୍ତୁ ସ୍ଥିତି ସୁଧୁରିନି । ଧାମନଗର ବ୍ଲକର ୩୦ ପଞ୍ଚାୟତ ବନ୍ୟା ପାଣିରେ ବୁଡି ରହିଛି । ଭସିଯିବା ବେଳେ ଭିନ୍ନ ଭିନ୍ନ ସ୍ଥାନରୁ ୮ ଜଣଙ୍କୁ ଉଦ୍ଧାର କରାଯାଇଛି ।

{"id":321796,"sizeSlug":"large"}

ବ୍ରାହ୍ମଣୀ ବନ୍ୟାରେ କେନ୍ଦ୍ରାପଡା ଜିଲ୍ଲା ଆଳି ଏବଂ ପଟ୍ଟାମୁଣ୍ଡାଇ ବ୍ଲକର ୨୦ରୁ ଅଧିକ ପଞ୍ଚାୟତ ଜଳମଗ୍ନ ହୋଇଛି । ଇନ୍ଦୁପୁରଠାରେ ବ୍ରାହ୍ମଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । କାଣି ଏବଂ ଖରସ୍ରୋତା ନଦୀ ମଧ୍ୟ ଫୁଲିବାରେ ଲାଗିଛି । ତଳି ଅଞ୍ଚଳରୁ ଏଯାଏ ଅଢେଇ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି । ସେହିପରି ଢେଙ୍କାନାଳ ଜିଲ୍ଲାର ଓଡ଼ପଡା, ଭୁବନ, ଗଁଦିଆ ବ୍ଲକରେ ବନ୍ୟା  ପରିସ୍ଥିତି ସୃଷ୍ଟି ହୋଇଛି । ମହାନୀ, ପାଇକା ଏବଂ ଦେବୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଜଗତସିଂହପୁର ଜିଲାରେ ମଧ୍ୟ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ସ୍ଥିତିକୁ ଦେଖି ଜିଲ୍ଲା ପ୍ରସାସନ ବ୍ୟାପକ ବ୍ୟବସ୍ଥା କରିଛି । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରା ଯାଇଛି । ମହାନଦୀ ଫୁଲୁଥିବାରୁ ବୌଦ୍ଧ, ସୁବର୍ଣ୍ଣପୁରର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ବୀର ମହାରାଜାପୁର –ସୋନପୁରକୁ ଗମନାଗମନ ବ୍ୟାହତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.