ବାଲେଶ୍ବର ଓ ଭଦ୍ରକରେ ବନ୍ୟା ପରିସ୍ଥିତି, ମାଲକାନଗିରିରେ ବନ୍ୟା ପରବର୍ତ୍ତୀ ଦୁର୍ଦ୍ଦଶା

Published By : Prameya-News7 Bureau | September 22, 2018 IST

ଭୁବନେଶ୍ବର ୨୨|୯: ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ବିଶେଷକରି ବାଲେଶ୍ବରର ବୁଢାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ବଢିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବାଲେଶ୍ବର ସଦର ବ୍ଲକର ୫ ପଞ୍ଚାୟତବାସୀଙ୍କୁ ବନ୍ୟା ଆଶ୍ରୟ ସ୍ଥଳରେ ରଖାଯାଇଛି । ସେହିଭଳି ବୈତରଣୀ ନଦୀରେ ବନ୍ୟା ଆସିବାରୁ ଭଦ୍ରକର ଭଣ୍ଡାରିପୋଖରୀ ଓ ଧାମନଗରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।ସେପଟେ ମାଲକାନଗିରିର ପ୍ରଳୟଙ୍କାରୀ ବନ୍ୟା ଛାଡି ଯାଇଛି ଅନେକ ଦୁଃଖ । ପେଟେରୁ ଓ କୋରୁକୋଣ୍ଡା ଅଞ୍ଚଳରେ ଶହ ଶହ ଲୋକଙ୍କ ଘର ବନ୍ୟାରେ ଭାଙ୍ଗି ଯାଇଛି । ବଢୁଛି ବିଭିନ୍ନ ନଦୀର ଜଳସ୍ତର । ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ବାଲେଶ୍ବର ଜିଲ୍ଲାର ବୁଢାବଳଙ୍ଗଓ ଜଳକା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ବନ୍ୟା ଆସିଛି । ବୁଢାବଳଙ୍ଗର ଜଳସ୍ତର ବଢି ୮.୨୦ ମିଟରରେ ପହଞ୍ଚିଥିବା ବେଳେ ଜଳକାର ଜଳସ୍ତର ୬.୫୦ ମିଟରରେ ପହଞ୍ଚିଛି । ତେଣୁ ବାଲେଶ୍ବର ସଦର ବ୍ଲକର ବୁଆଁଳ, ବଇଁଚା ଉଡ଼ଙ୍ଗି, ସିନ୍ଧିଆ ଓ ହରିପୁର ପଞ୍ଚାୟତର ଶତାଧତ୍କ ଗାଁ ଜଳଘେରରେ ରହିଛି। ପାଣିଘେରରେ ଥିବା ଲୋକଙ୍କୁ ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରି ବନ୍ୟା ଆଶ୍ରୟସ୍ଥଳରେ ଆଣି ରଖାଯାଇଛି । ଉଦ୍ଧାର ଲୋକଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟର ବ୍ୟବସ୍ଥା କରାଯାଇଛି। ସେପଟେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଓ ଧାମନଗରରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଭଣ୍ଡାରିପୋଖରୀ ଆଖୁଆପଦା ଆନିକଟ ନିକଟରେ ବୈତରଣୀ ନଦୀରେ ଜଳ ସ୍ତରର ବିପଦ ସଂକେତ ଉପରେ ପ୍ରଭାହିତ ହେଉଥିବାରୁ ନଦୀ କୂଳିଆ ୬ଟି ପଞ୍ଚାୟତର ଲୋକଙ୍କ ମନରେ ଛନକା ପଶିଛି । ସେହିପରି ନୀଳଗିରିର ସୋନ ନଦୀର ବନ୍ୟାଜଳ ଯୋଗୁଁ ୨୦ଟି ଗାଁ କ୍ଷତିଗ୍ରସ୍ତ ହୋଇଛି । ଉପଜିଲ୍ଲାପାଳ, ବିଡିଓ ଓ ତହସିଲଦାର ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ପରେ ପୋଟେରୁ ଅଞ୍ଚଳରେ ଯୁଆଡେ ଅନାଇଲେ ଏବେ ଆଖିକୁ ଦିଶୁଛି କେବଳ ଲୋକଙ୍କ ଭଙ୍ଗା ଘର । ହଠାତ୍ ବନ୍ୟା ପାଣି ଘରେ ପଶିବା ପରେ ଲୋକେ ଜୀବନ ବଞ୍ଚାଇବା ଲାଗି ଘରଦ୍ବାର ଛାଡି ଅନ୍ୟତ୍ର ଚାଲିଯାଇଥିଲେ । ପାଣି କମିବା ପରେ ନିଜ ଭିଟା ମାଟି ଆଉ ଖୋଜି ପାଉ ନାହାନ୍ତି ଲୋକେ । କେଉଁଠି ଝାଟି ଘର ମାଟିରେ ମିଶି ଯାଇଛି ତୋ ଆଉ କେଉଁଠି ପକ୍କା ଘରର କାନ୍ଥ ଭୁଷୁଡି ପଡିଛି । ରାସ୍ତା ଘାଟ ଧୋଇ ଯାଇଥିବା ବେଳେ ଲୋକଙ୍କ ଗୃହପାଳିତ ପ୍ରାଣୀ ଭାସି ଯାଇଛନ୍ତି । ଲୋକଙ୍କ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ।ବନ୍ୟାପାଣି କମିଥିଲେ ବି ଏବେ ସୁଦ୍ଧା ପରିସ୍ଥିତ ଠିକ୍ ହୋଇନାହିଁ । ଜିଲ୍ଲା ପ୍ରଶାସନ କ୍ଷୟ କ୍ଷତିର ଆକଳନ କରୁଛି । ମାଲକାନଗିରି ବନ୍ୟା ପୀଡିତଙ୍କୁ ରାଜ୍ୟ ସରକାର ସହାୟତୀ ଘୋଷଣା କରିଥିଲେ ସୁଦ୍ଧା ବନ୍ୟା ବିପନ୍ନଙ୍କ ପାଖରେ ସହାୟତା ପହଞ୍ଚିନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.