ଫୁଲୁଛି ବୈତରଣୀ : ବଡ ବନ୍ୟା ଆଶଙ୍କା, ୪ ଜିଲ୍ଲାକୁ ଆଲର୍ଟ ଜାରି
8/09/2018 at 9:27 AM

ଭୁବନେଶ୍ବର ୮|୯: ବୈତରଣୀ ଫୁଲିବାରେ ଲାଗିଛି । ଫଳରେ ନଦୀରେ ବଡ ବନ୍ୟା ହେବା ଆଶଙ୍କା ରହିଛି । ଏନେଇ ୪ଟି ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛି ଜଳସଂପଦ ବିଭାଗ । କେନ୍ଦୁଝର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି । ଏହି ସବୁ ଜିଲ୍ଲାର ୧୪ଟି ବ୍ଲକ ଉପରେ ବନ୍ୟାର ପ୍ରଭାବ ପଡ଼ିପାରେ । ୮ ଓ ୯ ତାରିଖ ସବୁ କର୍ମଚାରୀଙ୍କ ଛୁଟି ବାତିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ହେଲେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ଘସିପୁରା, ହାଟଡିହି ବ୍ଲକ, ଯାଜପୁରର କୋରେଇ, ଯାଜପୁର ସଦର, ବିଞ୍ଝାରପୁର ଓ ଦଶରଥପୁର ବ୍ଲକର ଲୋକେ ପ୍ରଭାବିତ ହେବେ । ସେହିଭଳି ବନ୍ୟା କାରଣରୁ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡି, ବାସୁଦେବପୁର, ଚାନ୍ଦବାଲି ବ୍ଲକ ଓ କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକାରେ ବି ପାଣି ପଶିପାରେ । ଏସବୁ ଅଞ୍ଚଳର କ୍ଷେତ୍ର କର୍ମଚାରୀଙ୍କୁ ଯେ କୌଣସି ପରିସ୍ଥିତିକୁ ମୁକାବିଲା କରିବା ଲାଗି ସଜାଗ ରହିବାକୁ ଏସ୍ ଆର୍ ସି ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ନଦୀବନ୍ଧର ଦୁର୍ବଳ ତଥା ସମ୍ବେଦନଶୀଳ ଅଞ୍ଚଳ, କେନାଲ ବନ୍ଧ ଉପରେ ସେମାନେ ସତର୍କ ଦୃଷ୍ଟି ରଖିବା ଲାଗି କୁହାଯାଇଛି । ସବୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ କରି ରଖିବା ଲାଗି କୁହାଯାଇଛି । ସେଥିପାଇଁ ଓଡ୍ରାଫ୍ , ଏନ୍ ଡିଆର୍ ଏଫ୍ ଟିମ୍ କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଭିନ୍ନ ପାୱାରବୋଟ, ବୋଟ୍ ଓ ଦେଶୀ ଡଙ୍ଗା ରଖିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି ।