ବାତ୍ୟାପରେ ଏବେ ବନ୍ୟା ଆଶଂକା: ରାଜ୍ୟର ସବୁ ନଦୀରେ ବଢୁଛି ଜଳସ୍ତର, ମାଲକାନଗିରି ସ୍ଥିତି ଅଧିକ ଖରାପ

Published By : Prameya-News7 Bureau | September 21, 2018 IST

ଭୁବନେଶ୍ବର୨୧|୯: ଟଳିଲା ବାତ୍ୟା, ହେଲେ ବଢ଼ିଲା ଦୁର୍ଦ୍ଦଶା । ଘୂର୍ଣ୍ଣିଝଡ଼ ଡାଏ ପ୍ରଭାବରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବନ୍ୟା । ସବୁ ନଦୀର ଜଳସ୍ତର ବଢ଼ୁଛି । ଅଧିକାଂଶ ନଦୀର ଜଳସ୍ତର ବିପଦ ସଙ୍କେତ ଡେଇଁଲାଣି । କେଉଁଠି ରାସ୍ତା ଉପରେ ଅଣ୍ଟେ ପାଣି ତ କେଉଁଠି ଘର ବୁଡ଼ିଗଲାଣି । କିଛି ସ୍ଥାନରେ ଘରଦ୍ବାର ମଧ୍ୟ ଭାଙ୍ଗି ଯାଇଛି । ମାଲାକାନଗିରିର ହାଲ୍ ଦେଖି ହେଉନି । [gallery ids="44427"] କାଲି ରାତିରୁ ଢୁ ଢୁ କୋରୁଛି ଯେ କୋରୁଛି । ଘୂର୍ଣ୍ଣିଝଡ଼ ଡାଏ, ସ୍ଥଳ ଭାଗ ଛୁଇଁବା ପରଠାରୁ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିଛି । ମାଲକାନଗିରିର ଯୁଆଡ଼େ ଚାହିଁବ ଖାଲି ପାଣି ଆଉ ପାଣି । ରାସ୍ତା ଉପରେ ପାଣି ଚାଲୁଛି, ଘରେ ଘରେ ପାଣି ପାଣି ପଶିଛି । ପୁଣି କିଛି ଲୋକଙ୍କ ଘର ମାଟିରେ ମିଶି ଯାଇଛି । କୋରୁକୋଣ୍ଡା, କାଲିମେଳା ଓ ମାଲକାନଗିରି ବ୍ଲକର ଶତାଧିକ ଗାଁ ଜଳମଗ୍ନ । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ତମସା ଓ ପୋଟେରୁ ନଈକୂଳରେ ଥିବା ଗାଁ ଲୋକେ । ରାତି ଅଧରେ ହଠାତ୍ ମୂଷଳ ଧାରାରେ ବର୍ଷା ହେଲା । ଫଳରେ ଲୋକଙ୍କୁ କିଛି ବୁଦ୍ଧିବାଟ ଦିଶିଲାନି । ଅଧିକାଂଶ ଲୋକଙ୍କ ଗୋରୁଗାଈ, ଛେଳି ମେଣ୍ଢା ଭାସି ଯାଇଛନ୍ତି । ରାସ୍ତାଘାଟ ସବୁଠି ଚାଲୁଛି ପାଣି । ପୋଲ ଉପରେ ସୁ ସୁ ହୋଇ ଚାଲିଛି ବନ୍ୟାଜଳ । ବାଲିମେଳା ଜଳଭଣ୍ଡାରର ବିପଦ ସଙ୍କେତ ୧୫୧୬ ଫୁଟ ଥିବା ବେଳେ ତାହା ଟପି ସାରିଲାଣି । ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଗୁରୁପ୍ରିୟା ସେତୁ ପ୍ରତି ବିପଦ ଥିବାରୁ ଜଳଭଣ୍ଡାରର ୪ଟି ଗେଟ୍ ଖୋଲାଯାଇଛି । କାଲିମେଳା ଓ ପଡ଼ିଆ ଅଞ୍ଚଳରେ ପାଣି ଘେରରେ ଫସିଥିବା ଲୋକଙ୍କୁ ପୋଲିସ୍ ଏବଂ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଛନ୍ତି । ତଳିଆ ଅଞ୍ଚଳ ଦୋରାଗୁଡ଼ା, ଗୁଣ୍ଡାବେଡ଼ା ଓ ଚିତ୍ରକୋଣ୍ଡା ପଞ୍ଚାୟତର ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । [gallery ids="44428"]  ବନ୍ୟାରେ ମାଲକାନଗିରି ସ୍ଥିତି ସଙ୍ଗୀନ ହୋଇ ପଡ଼ିଥିବା ବେଳେ ରାଜ୍ୟ ସରକାର ୭ ଦିନ ପାଇଁ ରିଲିଫ୍ ଘୋଷଣା କରିଛନ୍ତି । ରିଲିଫ୍ ସାମଗ୍ରୀ ସହ ବୟସ୍କଙ୍କ ପାଇଁ ଦିନକୁ ୬୦ ଓ ୧୨ ବର୍ଷରୁ କମ୍ ପିଲାଙ୍କ ପାଇଁ ଦିନକୁ ୪୫ ଟଙ୍କା ଲେଖାଏଁ ସହାୟତା ଦିଆଯିବ । ପରିସ୍ଥିତି ପାଇଁ ଆନ୍ଧ୍ରର ପୋଲାଭରମ୍ ପ୍ରକଳ୍ପକୁ ଦାୟୀ କରିଛନ୍ତି ସ୍ଥାନୀୟ ବିଧାୟକ । ବାଲେଶ୍ବରରେ ବି ବର୍ଷାର ତାଣ୍ଡବ । ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ବହୁଥିବା ବେଳେ ଡେଞ୍ଜର ଲେବୁଲ୍ ପାଖାପାଖି ବୁଢ଼ାବଳଙ୍ଗର ସ୍ଥିତି । ସୁବର୍ଣ୍ଣରେଖାର ଜଳସ୍ତର ମଧ୍ୟ ବଢ଼ିଛି । ବାଲେଶ୍ବର ସହର ନିକଟବର୍ତ୍ତୀ ନୂଆପୁର, କେଶପୁର, କଶମିଳା ଏବଂ ଏକତାପୁର ଗାଁ ପାଣି ଘେରରେ । କୋରାପୁଟରେ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜିଲ୍ଲାରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । କୋଲାବ୍ ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ପାଖାପାଖି ହେଲାଣି । [gallery ids="44429"] ଲଗାଣ ବର୍ଷାରେ ଚିଲିକା ଅଶାନ୍ତ । ଢେଉ ମାଡ଼ରେ ସୁରକ୍ଷା ପ୍ରାଚୀରର କିଛି ସ୍ଥାନ ଭାଙ୍ଗି ଗଲାଣି । କିଛି ଗାଁ ଗଣ୍ଡାରେ ମଧ୍ୟ ପାଣି ପଶିଲାଣି । ଲୋକେ ପୂରା ଭୟଭୀତ । ଅରଖକୁଦା, ସାନ ପାଟଣା, ଗବକୁଣ୍ଡ, ମିର୍ଜାପୁର, ସିପକୁଦା, ଗଙ୍ଗାଧରପୁର ଆଦି ଗାଁ ବର୍ଷା ଓ ଝଡ଼ ପବନରେ ପ୍ରଭାବିତ ହୋଇଛି । ସେପଟେ ମୟୂରଭଞ୍ଜ ଉଦଳା ବ୍ଲକର ଅଧିକାଂଶ ଗାଁରେ ବନ୍ୟା ଜଳ ପଶିଛି । କାଳ, କଣ୍ଠାଳ ଓ ଗଙ୍ଗାଦ୍ବାର ନଦୀର ଜଳସ୍ତର ବଢିବାରେ ଲାଗିଛି । ଶିମିଳିପାଳ ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ କାଳ ଏବଂ ସୋନ ଡ୍ୟାମର ଗୋଟିଏ ଲେଖାଏଁ ଗେଟେ ଖୋଲାଯାଇଛି ।  ଘୂର୍ଣ୍ଣିଝଡ଼ ଡାଏ ଏବେ ଛତିଶଗଡ଼ ମୁହାଁ । କିନ୍ତୁ ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି । ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି କିଛି ସ୍ଥାନରେ ସ୍ବଳ୍ପ ବର୍ଷା ହେବା ସହ ପାଗ ମେଘୁଆ ରହିବ । ଗତ ୨୪ ଘଣ୍ଟା ଭିତରେ ମାଲକାନଗିରିରେ ସର୍ବ।ଧିକ ବର୍ଷା ରେକର୍ଡ଼ କରାଯାଇଛି । ରାଜ୍ୟର ୩୦ ଟି ବ୍ଲକରେ ଶହେରୁ ଅଧିକ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.