ମାଲକାନଗିରି: ସବୁନଦୀ ବିପଦ ସଂକେତ ଉପରେ, ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ
2/08/2019 at 7:34 PM

ମାଲକାନଗିରି୨|୮: ଲଗାଣ ବର୍ଷାରେ ବେହାଲ ମାଲକାନଗରି । ଜିଲ୍ଲାର ସମସ୍ତ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ । ମାଲକାନଗିରି ଠାରୁ ମୋଟୁ କାଲିମେଳା, ପଡିଆ, କୋରୁକୋଣ୍ଡା ଓ ବାଲିମେଳା ଅଞ୍ଚଳକୁ ଯୋଗା ଯୋଗ ବିଚ୍ଛିନ୍ନ ହୋଇ ପଡିଛି । ଜିଲ୍ଲାର ସମସ୍ତ ସ୍କୁଲ କଲେଜକୁ ୨ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ସେପେଟେ ଆସନ୍ତା ୪ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆଜିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଆସନ୍ତାକାଲିଠୁ ବର୍ଷା ପରିମାଣ ବଢିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଏଦୃଶ୍ୟ ହେଉଛି ମାଲକାନଗିରି ପୋଟେରୁ ଅଞ୍ଚଳର । ୨ଦିନର ପ୍ରବଳ ବର୍ଷା ପରେ ଏବେ ବନ୍ୟା ପରିସ୍ଥିତି । ରାସ୍ତା ଉପରେ ୪ରୁ ୫ଫୁଟର ବନ୍ୟାଜଳ ପ୍ରବାହିତ । ଅଟକି ରହିଛି ୧୦୮ ଆମ୍ବୁଲାନସ୍ । ଗର୍ଭ ଯନ୍ତ୍ରଣାରେ ଛଟ ପଟ ହେଉଥିବା ଜଣେ ଗୁରୁତର ମହିଳାଙ୍କୁ ଜରୁରୀ କାଳୀନ ସେବା ବି ପାରୁନାହାନ୍ତି।

ମାଲକାନଗିରି ଠାରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜ ପଥର ଅଟକି ରହିଛି ଅନେକ ଗାଡିମୋଟର । କାଙ୍କୁରୁକୋଣ୍ଡା, ପୋଟେରୁ, ଏମ.ଭି-୯୬ ସବୁଠି ନଦୀ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଶହ ଶହ ହେକ୍ଟର ଧାନ ଫସଲ ଜଳ ମଗ୍ନ ହୋଇ ରହିଛି । ଶହଶହ ଘରେ ପାଣି ପଶିବା ସହ ପ୍ରଶାସନ ଏଯାଏ ଲୋକଙ୍କ ପାଖରେ ପହଞ୍ଚିବାକୁ ସକ୍ଷମ ହୋଇନି ।

ମାଲକାନଗିରି ଠାରୁ ବାଲିମେଳା ରାସ୍ତାର କୋରୁକୋଣ୍ଡା ଓ ଏମ.ଭି୩୭ ପୋଲ ଉପରେ ୪ରୁ ୫ଫୁଟ୍ର ବନ୍ୟାଜଳ ପ୍ରବାହିତ ହେଉଛି । ମାଲକାନଗିରି ଜୟପୁର ରାସ୍ତାର ପାଙ୍ଗାମ ନଦୀ ଉପରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ଜୟପୁର ସହ ଯୋଗା ଯୋଗ ବିଚ୍ଛିନ୍ନ ରହିଛି ।

ପରିସ୍ଥିତି ଉପରେ ନଜର ରଖିବା ଲାଗି ସମସ୍ତ ବ୍ଲକର ବିଡିଓ , ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ବନ୍ୟା ମୁକାବିଲା ଲାଗି ମାଲକାନଗିରି, କାଲିମେଳା ଓ ମାଥିଲିରେ ୩ ଟି ଅଗ୍ନିଶମ ଟିମ ଓ ଓଡ୍ରାଫ ଟିମ୍ ମୁତୟନ ଅଛନ୍ତି । ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ୍କୁ ଦୁଇ ଦିନ ଲାଗି ଛୁଟି ଘୋଷଣା କରାଯାଇଛି ।

ସେପଟେ ଆସନ୍ତା ଦୁଇଦିନ ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଜୁନ୍ ଓ ଜୁଲାଇ ମାସରେ ହୋଇଥିବା ନିଅଣ୍ଟିଆ ବୃଷ୍ଟିପାତ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଭରଣା ହୋଇପାରିବ ବୋଲି ପାଣିପାଗ କେନ୍ଦ୍ର ଆଶା ରଖିଛି
