ପୂର୍ଣ୍ଣିମା ଯୋଗୁଁ ଜୁଆରିଆ ସମୁଦ୍ର, କମୁନି ବନ୍ୟା ପାଣି : ୫ ଜିଲ୍ଲାରେ ସ୍ଥିତି ଏବେବି ଗମ୍ଭୀର, ଜଳବନ୍ଦୀ ଯନ୍ତ୍ରଣାରେ ଲୋକେ ହନ୍ତସନ୍ତ

Published By : Prameya-News7 Bureau | September 01, 2020 IST

ଭୁବନେଶ୍ୱର, ୦୧|୦୯: ପୂର୍ଣ୍ଣିମା  ବଢ଼ାଉଛି ସମସ୍ୟା ।  ପୂର୍ଣ୍ଣିମା ଯୋଗୁଁ ନଦୀରୁ ପାଣି ଟାଣୁନି ସମୁଦ୍ର । ଫଳରେ ତଳି ଅଞ୍ଚଳରେ ଏବେବି ବନ୍ୟା ସ୍ଥିତି ଲାଗି ରହିଛି । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ବଛାଳ ପଞ୍ଚାୟତ ବ୍ରାହ୍ମଣି ଗାଁର ସ୍ଥିତି ଗମ୍ଭୀର ରହିଛି । ୪ ଦିନରୁ ଅଧିକ ହେବ ପାଣିଘେରରେ ପାଖାପାଖି ୫୦ ପରିବାର ।  ଗାଁରୁ ବାହାରିବାକୁ ବୋଟ୍ ହିଁ ଏକମାତ୍ର ଭରସା । ସେହିପରି ତିର୍ତ୍ତୋଲ, ବାଲିକୁଦା, କୁଜଙ୍ଗ, ଜଗତସିଂହପୁର ସଦର ବ୍ଲକର ୩୧ ରୁ ଅଧିକ ଗାଁ ଏବେବି ଉବୁଟୁବୁ ହେଉଛି । ଅନେକ ସ୍ଥାନରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ମହାନଦୀ, ଦେବୀ, ପାଇକା । ପାଣି ଛାଡିବାକୁ ଆହୁରି ୩ ରୁ ୪ ଦିନ ଲାଗିବ ବୋଲି ଅନୁମାନ କରାଯାଉଛି ।

ଯାଜପୁର ଜିଲ୍ଲାରେ ପାଣି କମିଥିଲେ ବି କମିନି ବିପନ୍ନଙ୍କ ଦୁର୍ଦ୍ଦଶା । ଜିଲ୍ଳାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବରୀ । ବରୀ ବ୍ଲକର ୧୩ ଟି ପଞ୍ଚାୟତରୁ ଏଯାଏ ଛାଡିନି ପାଣି । ୪ ଦିନ ହେଲା ଜଳବନ୍ଦୀରେ ଥିବା ବରୀବାସୀ ଏବେ ବି ଜୀବନ ପାଇଁ ସଂଗ୍ରାମ କରୁଛନ୍ତି। ରତ୍ନଗିରି ପଞ୍ଚାୟତର ଦୃଶ୍ୟ ଉପରେ ଟିକେ ନଜର ପକାନ୍ତୁ ।ସାପ କାମୁଡ଼ା ରୋଗୀକୁ ମେଡିକାଲ ନେବାକୁ ଡିସ୍ ହିଁ ସାଜିଛି ଭରସା । ଧର୍ମଶାଳା ବ୍ଲକ  କୋତପୁରୁ ନିକଟସ୍ଥ  ବ୍ରାହ୍ମଣୀର ଶାଖା ନଦୀରେ ୩୦ ଫୁଟର ଘାଇ ହୋଇଛି ଫଳରେ ଧର୍ମଶାଳା ଓ ବଡ଼ଚଣା ବ୍ଳକର ୨୫ଟି ପଞ୍ଚାୟତରେ ପାଣି ପଶିଛି । ଅନେକ ଲୋକଙ୍କ ଘରେ ଲହଡି ଭାଙ୍ଗୁଛି ପାଣି । ଯାଜପୁର ଜିଲ୍ଲାର ୧୮୦ ପଞ୍ଚାୟତର ୮୩୬ ଗାଁରେ ପଶିଛି ପାଣି । ପାଖାପାଖି ୧୦ ଲକ୍ଷ ଲୋକ ପ୍ରଭାବିତି ହୋଇଛନ୍ତି । ଏବେ ଆଶ୍ବସ୍ତିକର ବିଷୟ ହେଲା ବିଭିନ୍ନ ନଦୀର ଜଳସ୍ତର ହ୍ରାସ ପାଇବା ।

କେନ୍ଦ୍ରାପଡା ଜିଲ୍ଲା ପାଟକୁରା ପଞ୍ଚାୟତ ଚିତ୍ରୋତ୍ପଳା ନଦୀର ଦକ୍ଷିଣ ପାର୍ଶ୍ଵ ଜଗନ୍ନାଥପୁର ନିକଟରେ ନଦୀ ବନ୍ଧରେ ପଡିଛି ଘଳିଆ । ଘଳିଆ ବନ୍ଦ ପାଇଁ ୨୪ ଘଣ୍ଟିଆ ସଜାଗ ରହିଛନ୍ତି ଜଳ ସେଚନ ବିଭାଗର କର୍ମଚାରୀ । ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, ପାଇକା, କାଣୀ ନଦୀରେ ଜଳସ୍ତର କମିଛି । ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ମାର୍ଶାଘାଇ, ଡେରାବିଶ, ମହାକାଳପଡା ବିଶେଷ ପ୍ରଭାବିତ ହୋଇଛି । ପାଣି କମିଥିଲେ ମଧ୍ୟ ଜୀବନ ସ୍ବାଭାବିକ ହୋଇନି । ଖାଲୁଆ ଅଞ୍ଚଳରେ ଜମି ରହିଛି ପାଣି ।

କଟକ ଜିଲ୍ଲା ବାଙ୍କୀ ସିମିଳିପୁର ପଂଚାୟତରେ ଘରେ ଲହଡି ମାରୁଛି ବନ୍ୟାପାଣି । ନଦୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି ବିପନ୍ନ । (ଖୋର୍ଦ୍ଧା) ରାଜୁଆ ନଦୀର ବନ୍ୟାରେ ଏବବି  ଉବୁଟୁବୁ ହେଉଛି ଖୋର୍ଦ୍ଦା ଜିଲ୍ଲାର କିଛି ଅଞ୍ଚଳର ।  ଓରବରସିଂହ ପଞ୍ଚାୟତରେ ପଶିଛି ପାଣି । ସେହିପରି ଦୟାରେ ମଧ୍ୟ ଉଛୁଳୁଛି ପାଣି ।   ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ  ବନ୍ୟାରେ ଫସି ରହିଥିବା ଲୋକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଉଛି ।  ଡେଲାଙ୍ଗର କିଛି ତଳି ଅଞ୍ଚଳରେ ପାଣି ଜମି ରହିଛି ।

ଅନୁଗୁଳ ଆଠମଲ୍ଲିକ ବ୍ଲକର ଅନେକ ଗାଁ ଏବେ ପାଣି ଘେରରେ ରହିଛି । ଜାମୁଡେଲି ଓ କୁଦଗାଁ ପଞ୍ଚାୟତରେ ଜଳବନ୍ଦୀ ଅବସ୍ଥାରେ  ଜୀବନ ବିତାଉଛନ୍ତି ଶହ ଶହ ଗ୍ରାମବାସୀ । ଘରେ ଚୁଲି ଜଳୁନି  କି ପାଖରେ ଖାଦ୍ୟ ନାହିଁ।  ଅନେକ ସ୍ଥାନରେ ପ୍ରଶାସନ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ବରଗଡ ଜିଲ୍ଲା ପଦ୍ମପୁର ଘନାମାଲରେ ଫସିରହିଛନ୍ତି ୪ଟି ହାତୀ । ଗତକାଲି ରାତିରେ ଝାଞ୍ଜ ପାହାଡ଼ରୁ କୁଠେଲା ଡୁଙ୍ଗୁରି ଦେଇ ବୁଢାପହାଡ଼କୁ ଅତିକ୍ରମ କରୁଥିଲେ  ଏହି ହାତୀ ପଲ । ତେବେ ଅଙ୍ଗନଦୀରେ ପାଣି ଯୋଗୁଁ ହାତୀ ନଦୀପାର ହୋଇନପାରି ଏଠାରେ ଡେରା ପକାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.