ମହାନଦୀର କରାଳ ରୂପ : ତଳି ଅଞ୍ଚଳରେ ବନ୍ୟା ଆଶଙ୍କା !ନରାଜରେ ସତର୍କ ସଙ୍କେତ ଡେଇଁଲା ଜଳସ୍ତର

Published By : Prameya-News7 Bureau | September 16, 2021 IST

ଭୁବନେଶ୍ୱର,୧୬/୦୯: ବଡ଼ ବିପଦ ନାହିଁ । ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ଆସୁଛି ମହାନଦୀର ତଳି ଇଲାକା ପାଇଁ । ବୁଧବାର ସନ୍ଧ୍ୟା ୮ଟା ସୁଦ୍ଧା ୨୪ଟି ଗେଟ୍‌ ଖୋଲିଛି ହୀରାକୁଦ । ରାତିରେ ଆଉ ୪ଟି ଗେଟ ଖୋଲିଥିଲା। ଉପରମୁଣ୍ଡରୁ ଆସୁଥିବା ପାଣି ବଢ଼ୁଥିବାରୁ ଆହୁରି ଅଧିକ ଗେଟ ଖୋଲିପାରେ ।

ଅନ୍ୟପକ୍ଷରେ ମାଥାନିରେ ଜଳକା ଓ ଆଖୁଆପଦାରେ ବୈତରଣୀ ଏବେ ବି ବିପଦ ସଙ୍କେତ ଉପରେ ରହିଛି । ବଡ଼ କଥା ହେଲା, ବୈତରଣୀ ଜଳସ୍ତର ଖସୁଛି । ବଂଶଧାରା କମୁଥିବାବେଳେ ଋଷିକୂଲ୍ୟା ବି କମୁଛି । ବୁଢ଼ାବଳଙ୍ଗ ଜଳସ୍ତର ବଢ଼ୁଛି, ବିପଦ ସଙ୍କେତଠାରୁ ସାମାନ୍ୟ ତଳେ ଅଛି । ବ୍ରାହ୍ମଣୀ ନଦୀ ବି ପାନପୋଷରେ ବଢ଼ୁଛି ।

ଓଡ଼ିଶାରେ ବର୍ଷା କମିଥିବାବେଳେ ଗତ ୨୪ ଘଣ୍ଟାରେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି । ଯଦିଓ ଆଜି ଛତିଶଗଡ଼ର ରାୟଗଡ଼ରେ ବର୍ଷା କମିଯାଇଛି, ହେଲେ ଅମ୍ବିକାପୁରରେ ବର୍ଷା ଲାଗି ରହିଥିଲା ।

ରାତି ୧୨ଟା ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୮.୩୭ ଫୁଟ ରହିଛି । ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ ଲକ୍ଷ ୪୬ ହଜାର ୮୩୪ କ୍ୟୁସେକ ଜଳ ପ୍ରବେଶ କରୁଛି । ଜଳଭଣ୍ଡାରରୁ ୪ ଲକ୍ଷ ୨୧ ହଜାର ୪୨୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।ଏହି ପାଣି ମୁଣ୍ଡୁଳିରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପହଞ୍ଚିବ ।

ବୁଧବାର ରାତି ୯ଟାବେଳେ ମହାନଦୀ ତଳମୁଣ୍ଡ ପଥର୍ଲାରେ ୧,୯୩,୩୪୪ କ୍ୟୁସେକ ଜଳ ନିଷ୍କାସିତ ହେଉଥିବାବେଳେ ଖଇରମାଳରେ ୪.୬୬ ଲକ୍ଷ କ୍ୟୁସେକ, ବରମୁଳରେ ୫.୨୦ ଲକ୍ଷ କ୍ୟୁସେକ ଓ ମୁଣ୍ଡୁଳିରେ ୬ ଲକ୍ଷ ୨୫ ହଜାର ୯୭୫ କ୍ୟୁସେକ ପାଣି ନିଷ୍କାସିତ ହେଉଥିଲା । ହୀରାକୁଦ ନଦୀବନ୍ଧରୁ ନିଷ୍କାସିତ ପାଣି ଓ ପଥର୍ଲାରୁ ନିଷ୍କାସିତ ପାଣି ଏକାଠି ଆସି ପହଞ୍ଚିବା ପରେ ମୁଣ୍ଡୁଳିରେ ୮ ଲକ୍ଷରୁ ଅଧିକ ପାଣି ପ୍ରବାହିତ ହେବା ଆଶଙ୍କା ରହିଛି ।

ଏଭଳି ସ୍ଥିତି ଆସିଲେ ମହାନଦୀ ଓ ଏହାର ଶାଖା ନଦୀରେ ବଡ଼ ବନ୍ୟା ଆସିନପାରେ । ହେଲେ କେତେକ ତଳି ଅଞ୍ଚଳରେ ଛୋଟ ବନ୍ୟା ଆସିପାରେ । ବିଶେଷ କରି ବାଙ୍କୀ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳକୁ ନଈ ପାଣି ମାଡ଼ିଯାଇପାରେ । ନରାଜରେ ମହାନଦୀ ସତର୍କ ସଙ୍କେତ ଟପିଛି । ଏଠାରେ ସତର୍କ ସଙ୍କେତ ୨୫.୪୧ ମିଟର ଥିବାବେଳେ ରାତି ୯ଟାବେଳେ ଜଳସ୍ତର ୨୫.୭୨ ମି ଛୁଇଁଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.