ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ

Published By : Prameya-News7 Bureau | September 19, 2021 IST

ଜଗତସିଂହପୁର, ୧୯|୦୯:   ହୀରାକୁଦରେ  ଗେଟ୍ ଧୀରେ ଧୀରେ ବନ୍ଦ ହେବାରେ ଲାଗିଥିଲେ ମଧ୍ୟ ମହାନଦୀର ତଳ ମୁଣ୍ଡ ଜଗତସିଂହପୁର ତିର୍ତ୍ତୋଲ ଓ କୁଜଙ୍ଗ ଅଞ୍ଚଳରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସକାଳ ଠାରୁ ବନ୍ୟା ଜଳ ବୃଦ୍ଧି ପାଇବା ଫଳରେ ଆଉ ୧୦ରୁ ଉର୍ଦ୍ଧ୍ୱ ଗାଁକୁ ପାଣି ପଶିଛି ।

ତରି ଜଙ୍ଗା ପଞ୍ଚାୟତ କୋଟ କଣା ଗାଁ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯିବା ପରେ ଉକ୍ତ ଗାଁର  ୩୦ ପରିବାର ନିକଟସ୍ଥ ସ୍କୁଲ ଗୃହରେ ଆସି ଆଶ୍ରୟ ନେଇଛନ୍ତି । ସେହିପରି ମୁଣ୍ଡା ସାହି, ହରିପୁର, ମଣିଜଙ୍ଗା ଓ କାଳିକୁଦ ଆଦି ଗାଁର ସ୍ଥିତି ଅଧିକ ବେହାଲ ହୋଇଛି ।

ସୋମବାର ପୂର୍ଣ୍ଣମୀ ଥିବାରୁ ସମୁଦ୍ର ଜୁଆରିଆ ରହିବା ଫଳରେ ଜଳ ନିଷ୍କାସନ ହୋଇପାରିବ ନାହିଁ । ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ବିଭିନ୍ନ ବ୍ଲକର ବିଡିଓ,ତହସିଲଦାର, ସ୍ୱାସ୍ଥ୍ୟ ଅଧିକାରୀ ଆଦି ବିଭିନ୍ନ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ କରିବା ସହ ବିପନ୍ନ ମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ।

ତେବେ ରବିବାର ସକାଳୁ ଝିପି ଝିପି ବର୍ଷା ହେବା ଫଳରେ ନଦୀ ବନ୍ଧରେ ପଲିଥିନ ତଳେ ଆଶ୍ରୟ ନେଇଥିବା ବିପନ୍ନଙ୍କ ଦୁର୍ଦଶା ଅଧିକ ସଙ୍ଗିନ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.