ଭୁବନେଶ୍ୱର,୧୪/୦୯: ବର୍ଷା ବିତ୍ପାତରେ ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ସବୁ କଲବଲ । ଦୁର୍ଦ୍ଦଶା ବଢ଼ାଇବାକୁ ମାଡ଼ି ଆସୁଛି ବନ୍ୟା । ଉଛୁଳୁଛି ବୈତରଣୀ, ଜଳକା । ବ୍ରାହ୍ମଣୀ, ବଂଶଧାରା, ଋଷିକୂଲ୍ୟା ଫୁଲିବାରେ ଲାଗିଛି । ମହାନଦୀ ତଳମୁଣ୍ଡରେ ଲଗାଣ ବର୍ଷା ଚାଲିଥିବାବେଳେ ଉପରମୁଣ୍ଡ ଛତିଶଗଡ଼ରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ଏଥିରେ ମହାନଦୀ ଓ ଏହାର ସମସ୍ତ ଶାଖା ନଦୀ ଉପରମୁହାଁ ହେବ ।
ପାଣିପାଗ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୧୮ରୁ ପୁଣି ଲଘୁଚାପ ବର୍ଷା ସମ୍ଭାବନା ଅଛି । ତେଣୁ ବନ୍ୟା ଆଶଙ୍କା ଆହୁରି ବଢ଼ିଯାଇଛି । ଜଳ ସମ୍ପଦ ବିଭାଗ କହିଛି, ଏବେ ବନ୍ୟା ସ୍ଥିତି ଉପୁଜିନାହିଁ । ତଥାପି ସତର୍କ ନଜର ରଖାଯାଇଛି । ଜଳ ସମ୍ପଦ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।
ଜଳକାର ଜଳସ୍ତର ବିପଦ ସଙ୍କେତ ୫.୫୦ ମିଟର ହୋଇଥିବାବେଳେ ମଥାନିରେ ସନ୍ଧ୍ୟା ୬ଟାବେଳେ ଜଳସ୍ତର ୫.୬୮ ମିଟର ଥିଲା । କ୍ରମଶଃ ଜଳସ୍ତର ବଢ଼ୁଛି। ବୈତରଣୀ ଆଖୁଆପଦାରେ ସତର୍କ ସଙ୍କେତ ଡେଇଁ ବିପଦ ସଙ୍କେତ ଟପିବାକୁ ବସିଲାଣି । ଏଠାରେ ବିପଦ ସଙ୍କେତ ସ୍ତର ୧୭.୮୩ ମିଟର ଥିବାବେଳେ ସନ୍ଧ୍ୟା ୬ଟାବେଳେ ଜଳସ୍ତର ୧୭.୩୮ ମିଟର ଥିଲା । ଆନନ୍ଦପୁରରେ ବି ଜଳସ୍ତର ବଢ଼ୁଛି । ବ୍ରାହ୍ମଣୀ ଜଳସ୍ତର ବିପଦ ସଙ୍କେତଠାରୁତଳେ ଥିଲେ ମଧ୍ୟ ପାନପୋଷ ଓ ଜେନାପୁରରେ ଉପରମୁହାଁ ହେବାରେ ଲାଗିଛି । ଇବ୍ ନଦୀ ଫୁଲି ୨୧୭.୨୨ ମିଟରରେ ପ୍ରବାହିତ ହେଉଛି । କାଶିନରଗରରେ ବଂଶଧାରା ୫୩.୪୦ ମିଟର ଛୁଇଁଥିଲା ସନ୍ଧ୍ୟା ୬ଟାବେଳେ । ଯେଉଁଭଳି ନଦୀ ଫୁଲୁଛି, ରାତି ଭିତରେ ବିପଦ ସଙ୍କେତ ପାଖାପାଖି ପହଞ୍ଚିପାରେ । ଋଷିକୂଲ୍ୟା ବି ବଢ଼ୁଛି ।ବଡ଼ କଥା ହେଲା, ମହାନଦୀ ତଳମୁଣ୍ଡରେ ଫୁଲୁଛି ।
ପାଣିପାଗ ବିଭାଗ କହିଛି, ଭୀଷଣ ଅବପାତ ଉତ୍ତର ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗକୁ ଆସିବା ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଉତ୍ତର ଛତିିଶଗଡ଼କୁ ମୁହାଁଇଛି । ଏହା ଛତିଶଗଡ଼ ହୋଇ ମଧ୍ୟପ୍ରଦେଶ ଯିବ । ମଙ୍ଗଳବାର ରାଜ୍ୟରେ ବର୍ଷା କମିବ । ତଥାପି ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । ତେବେ ୧୭ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଥିବାରୁ ଏହା ପ୍ରଭାବରେ ପୁଣି ବର୍ଷା ବଢ଼ିବ ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା, ଢେଙ୍କାନାଳ, ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ । କେତେକ ଜାଗାରେ ୨୦୦ ମିମିରୁ ଅଧିକ ବର୍ଷା ହେବ । ସମ୍ବଲପୁର, ସୋନପୁର, ନୟାଗଡ଼ ଓ ଆଭ୍ୟନ୍ତରୀଣ ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ । କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଯାଜପୁର, ଦକ୍ଷିଣ କେନ୍ଦୁଝରରେ ବର୍ଷା ହେବ, ମାତ୍ର ପରିମାଣ କମ୍ ରହିବ । ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଏବଂ ଦେବଗଡ଼ରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । ଆସନ୍ତାକାଲିଠାରୁ ବର୍ଷା ପରିମାଣ କମିବ ।
୧୮ରେ ଆଉ ଏକ ଲଘୁଚାପ ସମ୍ଭାବନା ଅଛି । ୧୯ରେ ଏହା ଅବପାତ ରୂପ ନେଇପାରେ । ସମ୍ଭବତଃ ୨୦ରେ ବାଲେଶ୍ୱର ଓ ପୂର୍ବ ମିଦନାପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ୨୧ରେ ସୁନ୍ଦରଗଡ଼ ଉପରେ ରହିବ । ଏହା ଉତ୍ତର ଓଡ଼ିଶାରେ ଅଧିକ ବର୍ଷା କରିପାରେ।ବର୍ତ୍ତମାନ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀ ଓ ଶାଖା ନଦୀ ଫୁଲିବ । ତେଲ୍, ହାତୀ ଜଳସ୍ତର ବଢ଼ିବ । ଇବ୍, ଇନ୍ଦ୍ରାବତୀ ଜଳସ୍ତର ବଢ଼ିବ । ବୈତରଣୀ ବି ଫୁଲିବ ।