ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଚାଲିବ ବିମାନ, ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | January 03, 2021 IST

ଝାରସୁଗୁଡା,୦୩/୦୧: ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରକୁ ଚାଲିବ ବିମାନ । ଆସନ୍ତା ୧୨ ତାରିଖରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ମୁମ୍ବାଇ- ଝାରସୁଗୁଡା- ବେଙ୍ଗାଲୁର ବିମାନସେବା । ଏଥିପାଇଁ ସ୍ପାଇସ୍ ଜେଟ୍ ପକ୍ଷରୁ ସମୟ ସାରଣୀ ପ୍ରକାଶ ପାଇଛି । ଏହା ଦ୍ୱାରା ପଶ୍ଚିମ ଓଡିଶା ସମେତ ପଡୋଶୀ ଛତିଶଗଡ଼ ଓ ଝାରଖଣ୍ଡର ଅର୍ଥନୀତି ଆହୁରି ଗତିଶୀଳ ହେବା ସହ ଲୋକଙ୍କ ଆବଶ୍ୟକତା ପୂରଣ କରିବ ବୋଲି ସ୍ଥାନୀୟ ଲୋକେ ଖୁସି ପ୍ରକଟ କରିଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ ଜରିଆରେ ନିଜର ଖୁସୀ ବ୍ୟକ୍ତ କରିବା ସହ ଏହା ପଶ୍ଚିମ ଓଡିଶାର ଅର୍ଥନୈତିକ ଅଗ୍ରଗତିରେ ସହାୟକ ହେବ ବୋଲି ଜଣାଇଥିବା ବେଳେ ସ୍ଥାନୀୟ ଲୋକେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି |

{"id":386277,"sizeSlug":"large","linkDestination":"none"}

ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ପଶ୍ଚିମ ଓଡ଼ିଶାବାସୀ ବାସୀଙ୍କ ପାଇଁ ଖୁସି ଖବର। ଝାରସୁଗୁଡ଼ା ସହ ଆକାଶ ପଥରେ ଯୋଡ଼ି ହେବ ଆଉ ୨ଟି ସହର । ଝାରସୁଗୁଡ଼ା ବିମାନବନ୍ଦରରୁ ମାୟାନଗରୀ ମୁମ୍ବାଇ ସହ ବେଙ୍ଗଳୁରୁକୁ ବିମାନ ଉଡ଼ାଣ ଆରମ୍ଭ ହେବ ।ଝାରସୁଗୁଡା ବିମାନ ବନ୍ଦରରୁ ଆସନ୍ତା ୧୨ ତାରିଖରୁ ମୁମ୍ବାଇକୁ ଏବଂ ବାଙ୍ଗାଲୋରକୁ ଆରମ୍ଭ ହେବ ବିମାନ ସେବା। ଏହି ସେବା ଯୋଗାଇଦେବ ସ୍ପାଇସ ଜେଟ୍‌।  ଏହି ସେବା ସପ୍ତାହରେ ୪ ଦିନ ଉପଲବ୍ଧ ହେବ। ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଦିନ ଏହି ରୁଟ୍‌ରେ ବିମାନ ଉଡ଼ାଣ କରିବ।ଏଥି ପାଇଁ ବୁକିଂ ଆରମ୍ଭ ହୋଇଛି। ଏନେଇ ଝାରସଗୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି ।ତେବେ ବିମାନ ସେବା ଆରମ୍ଭ ଦ୍ୱାରା ଓଡ଼ିଶାର ଅର୍ଥନୀତିକୁ ବୃଦ୍ଧି କରିବ। ଏହି ଅଞ୍ଚଳର ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ସାହାଯ୍ୟ କରିବ ବୋଲି ଟୁଇଟ କରି ଜଣାଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ।

ଏବେ ଝାରସୁଗୁଡ଼ା ବିମାନବନ୍ଦରରୁ ୫ଟି ସହରକୁ ବିମାନ ଉଡ଼ାଣ କରୁଛି । ଭୁବନେଶ୍ୱର, ରାୟପୁର, କୋଲକାତା, ହାଇଦ୍ରାବାଦ ଓ ଦିଲ୍ଲୀକୁ ଝାରସୁଗୁଡ଼ାରୁ ବିମାନ ସେବା ମିଳୁଛି । ଆସନ୍ତା ୧୨ ତାରିଖରୁ ମୁମ୍ବାଇ ଓ ବେଙ୍ଗଳୁରୁକୁ ବିମାନ ସେବା ଆରମ୍ଭ ହେବ । ସ୍ପାଇସ୍ ଜେଟ ପକ୍ଷରୁ ମୁମ୍ବାଇ-ଝାରସୁଗୁଡା-ବାଙ୍ଗାଲୋର ସେକ୍ଟରରେ ବୋଇଂ ୭୩୭ ଚଳାଚଳ କରିବ ଓ ସପ୍ତାହକୁ  ୪ ଦିନ ଏହି ବିମାନ ସେବା ଉପଲବ୍ଧ ହେବ । ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଦିନ ଏହି ରୁଟରେ ବିମାନ ଉଡାଣ କରିବ । ଫଳରେ ପଶ୍ଚିମ ଓଡ଼ିଶାର ଯାତ୍ରୀଙ୍କୁ ଆଉ କନେକ୍ଟିଂ ଫ୍ଲାଇଟ୍ ଧରିବାକୁ ପଡ଼ିବ ନାହିଁ । ନୂଆବର୍ଷରୁ ମୁମ୍ବାଇ ଓ ବେଙ୍ଗଳୁରୁକୁ ଝାରସୁଗୁଡ଼ାରୁ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବାରୁ ସ୍ଥାନୀୟ ଲୋକ ଖୁସିବ୍ୟକ୍ତ କରିଛନ୍ତି ।

୫ଟି ସହରକୁ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ମୁମ୍ବଇ-ଝାରସୁଗୁଡା ବିମାନ ଚଳାଚଳ କରିବାକୁ ବିଟ ହାସଲ କରିଥିବା ଜେଟ ଏୟାରୱେଜ ଦେବାଳିଆ ହେଲାପରେ ଝାରସୁଗୁଡା ମୁମ୍ବାଇ ବିମାନ ସେବା ଅନିଶ୍ଚିଚତା ଘେରରେ ରହିଥିଲା। ତେବେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡ଼ା-ମୁମ୍ବାଇ ମଧ୍ୟରେ ବିମାନ ସେବା ଆରମ୍ଭ କରିବା ପାଇଁ  କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଗତ ୭ ନଭେମ୍ବର ୨୦୧୯ ଚିଠି ଲେଖିଥିଲେ । ପଶ୍ଚିମ ଓଡିଶାର ଲୋକଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସ୍ୱତନ୍ତ୍ର ଭାବରେ ଏଥିରେ ହସ୍ତକ୍ଷେପ କରି ଝାରସୁଗୁଡା ଓ ମୁମ୍ବାଇ ମଧ୍ୟରେ ସିଧା ବିମାନ ସଂଯୋଗ ସ୍ଥାପନ କରିବାକୁ ସେ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ସରକାରଙ୍କର ଉଡାନ ଯୋଜନା ସାଧାରଣ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିଛି । ଦେଶର ବ୍ୟାବସାୟିକ ରାଜଧାନୀ ମୁମ୍ବାଇ  ଏବଂ ଆଇଟି ହବ୍ ବାଙ୍ଗାଲୋର ସହିତ ପଶ୍ଚିମ ଓଡିଶା ମଧ୍ୟରେ ସିଧାସଳଖ ବିମାନସେବା ଦ୍ୱାରା ଏହା ଅଞ୍ଚଳବାସୀଙ୍କୁ ଅଧିକ ଲାଭ ଦେବ ବୋଲି ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି ।

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଭାରତର ଉତ୍ତର ଦକ୍ଷିଣ ଓ ପୁର୍ବ ପଶ୍ଚିମ ସହିତ ସଂଯୋଗ ସ୍ଥାପନ ହେବା ପରେ ଆଗାମୀ ଦିନରେ ଜିଲ୍ଲାର ଅର୍ଥନିତୀ ବୃଦ୍ଧିରେ ଏହା ସହାୟକ ହେବା ସହ ପଶ୍ଚିମ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ମଧ୍ୟ ସମ୍ଭବ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.