୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ସେବା, ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ଆରମ୍ଭ

Published By : Prameya-News7 Bureau | July 04, 2021 IST

ଭୁବନେଶ୍ବର ୪।୭: ୨୦୨୨-୨୩ ସୁଦ୍ଧା ପୁରୀରୁ ଉଡିବ ବିମାନ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସବୁ ଠିକ୍ ଠାକ୍ ଚାଲିଲେ ଉଡ଼ିବା ସମ୍ଭାବନା ଉଜ୍ଜ୍ଵଳ ବୋଲି ମନ୍ତ୍ରୀ କହିଛନ୍ତି । ପୁରୀରେ ବିମାନ ବନ୍ଦର ପାଇଁ ଜାଗା ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି ।ସାମ୍ପ୍ରତିକ କରୋନା ପରିସ୍ଥିତି ପାଇଁ ବିମାନ ଉଡାଣ ପ୍ରଭାବିତ ହେଉଛି । ରାଜ୍ୟର ଉତକେଲା, ରାଉରକେଲା, ଜୟପୁର ପ୍ରଭୃତି ସ୍ଥାନରୁ ବିମାନ ଉଡାଣ ପାଇଁ ରାଜ୍ୟ ସରକାର ସହଯୋଗ କରୁଛନ୍ତି । ସମସ୍ତ ଅଭିଭକ୍ତ ଜିଲ୍ଲାରେ ଥିବା ଏୟାର ଷ୍ଟ୍ରିପ୍ ଉନ୍ନତି ପାଇଁ ଆଲୋଚନା ହୋଇଛି ।

ଶ୍ରୀକ୍ଷେତ୍ରକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବାକୁ ରାଜ୍ୟ ସରକାର ଦିନରାତି କସରତ କରୁଛନ୍ତି । ଏହାମଧ୍ୟରେ ଦେଶର ବିଭିନ୍ନ ରାଜ୍ୟ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଗମନାଗମନକୁ ଆହୁରି ସରଳ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ।

ଭାରତର ପ୍ରସିଦ୍ଧ ଚାରି ଧାମ ମଧ୍ୟରୁ ପୁରୀ ଧାମକୁ ସାରା ବିଶ୍ବରୁ ଲୋକେ ଆସୁଛନ୍ତି । ୟୁନେସ୍କୋ ବିଶ୍ବ ଐତିହ୍ୟସ୍ଥଳୀ କୋଣାର୍କ ପୁରୀରୁ ମାତ୍ର ୩୫ କି.ମି. ଦୂରରେ ରହିଛି । ସାଂସ୍କୃତିକ, ଆର୍ଥିକ, ପର୍ଯ୍ୟଟନ ହବ୍ ହେବା ପାଇଁ ପୂରୀରେ ଅପୂର୍ବ ସୁଯୋଗ ରହିଛି । ଏହାକୁ ଆଖିରେ ରଖି ବିମାନବନ୍ଦର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.