ଦୀର୍ଘ ଦିନର ଦାବି ହେଲା ପୂରଣ : ଝାରସୁଗୁଡାରୁ ଭୁବନେଶ୍ବର ଓ ରାୟପୁରକୁ ଉଡ଼ିଲା ବିମାନ
5/06/2019 at 6:59 PM

ଝାରସୁଗୁଡା ୫/୬: ଆଜିଠାରୁ ଝାରସୁଗୁଡାରୁ ଭୁବନେଶ୍ବର ଓ ରାୟପୁରକୁ ଉଡ଼ିଲା ବିମାନ। ଆଲିଏନ୍ସ ଏୟାର ପକ୍ଷରୁ ଆରମ୍ଭ ହୋଇଛି ବିମାନ ସେବା। ଝାରସୁଗୁଡାରୁ ଭୁବନେଶ୍ବର ଓ ରାୟପୁରକୁ ବିମାନସେବା ଚାଲୁ କରିବା ପାଇଁ ବହୁଦିନର ଦାବି ଶେଷରେ ପୂରଣ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ |…

ବିମାନ air authority india ପକ୍ଷରୁ ଆଜି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଭୁବନେଶ୍ବରକୁ ଆନୁଷ୍ଠାନିକ ବିମାନ ଉଡାଣର ଶୁଭାରମ୍ଭ ହୋଇଛି । ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ, ବରଗଡ ସାଂସଦ ସୁରେଶ ପୁଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷାପାଢୀଙ୍କ ଉପସ୍ଥିତିରେ କେକ୍ କଟାଯାଇଥିଲା । ଏହାପରେ ଭୁବନେଶ୍ବର ଅଭିମୁଖେ ବାହାରିଥିବା ଯାତ୍ରୀଙ୍କୁ ସ୍ବାଗତ କରାଯାଇ ପତାକା ଦେଖାଇବା ପରେ ଉଡାଣ ଭରିଥିଲା alliance airର ବିମାନ ଆଇଟିଆର୍ 72।

ପ୍ରଥମ ଦିନରେ ଭୁବନେଶ୍ବରରୁ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷାପାଢୀଙ୍କ ସହ ୩୫ ଜଣ ଯାତ୍ରୀ ଝାରସୁଗୁଡା ଆସିଥିଲେ । ସେହିପରି ଝାରସୁଗୁଡାରୁ ୫୫ ଜଣ ଯାତ୍ରୀ ଯାତ୍ରା କରିଛନ୍ତି । ସଂଧ୍ୟ୍ୟା ୬ଟାରେ ରାୟପୁରକୁ ବିମାନ ଉଡ଼ିଛି । ଦୀର୍ଘ ଦିନ ପରେ ଦାବି ପୂରଣ ହୋଇଥିବାରୁ ବିମାନ ବନ୍ଦରରେ ଖୁସିର ବାତାବରଣ ଦେଖିବାକୁ ମିଳିଥିଲା | ଝାରସୁଗୁଡା ଜିଲ୍ଲାର ବିକାଶ ପାଇଁ ଏକ ହୋଇଥିଲେ ଉଭୟ ଶାସକ ଓ ବିରୋଧୀ । ଏଠାରୁ ବେଙ୍ଗଲୁରୁ, ରାଞ୍ଚି ଓ ମୁମ୍ବାଇ ସମେତ ଦେଶର ଅନ୍ୟ ସ୍ଥାନକୁ ବିମାନସେବା ଆରମ୍ଭ କରିବା ପାଇଁ ହେଉଥିବା ଦାବି ସଂପର୍କରେ ବିଚାର କରାଯିବ ବୋଲି କହିଛନ୍ତି ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରୁ ନିର୍ମିତ ଝାରସୁଗୁଡା ବିମାନବନ୍ଦର ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିଲା । ବିଳମ୍ବ ହେଲେ ମଧ୍ୟ ଏହି ବିମାନବନ୍ଦର ଧୀରେ ଧୀରେ ଦେଶର ପ୍ରମୁଖ ସହର ସହ ଯୋଡ଼ି ହେଉଛି | ଆଗାମୀ ଦିନରେ ଏହା ଜିଲ୍ଲାର ପର୍ଯ୍ୟଟନ ଶିଳ୍ପ ସହ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।
