୫ ବର୍ଷର ଶିଶୁକୁ ମାରିଲା କିଏ ? ସନ୍ଦେହ ଘେରରେ ଥିବା ପଡୋଶୀ ମହିଳା ଏବେ ମେଡିକାଲରେ, ଘଟଣା ଉପରୁ କେବେ ଉଠିବ ପରଦା...

Published By : Prameya-News7 Bureau | June 04, 2020 IST

ଭୁବନେଶ୍ୱର ୦୪।୦୬:  ପଡ଼ୋଶୀଙ୍କ ୫ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରିବା ପରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ । ବୁଧବାର ଅପରାହ୍ଣରେ ଭୁବନେଶ୍ବର ଆଇଗିଣିଆ ରାଜୀବ ନଗରରେ ଘଟିଯାଇଛି ଏହି ଅଭାବନୀୟ କାଣ୍ଡ । ଅଭିଯୁକ୍ତ ମହିଳାଙ୍କ ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଏମସ୍ ରେ ଭର୍ତ୍ତି କରିଥିବା ବେଳେ ପୂରା ଘଟଣାର ତଦନ୍ତ ଜାରି ରଖିଛି ଖଣ୍ଡଗିରି ପୋଲିସ ।   

କାନ୍ଦ ବୋବାଳିରେ ଫାଟି ପଡ଼ୁଛି ସାରା ଘର । ଘଡ଼ିକ ପୂର୍ବରୁ ୫ବର୍ଷର ପୁଅଟି ହସି ଖେଳି ଘରେ ଦଉଡ଼ୁଥିଲା, କେତେବେଳେ ପରିବାର ସଦସ୍ୟଙ୍କ କୋଳରେ ଲୋଟି ପଡ଼ୁଥିଲା । ପଡ଼ିଶା ଘର ଆଣ୍ଟି ଆସି ଯେତେ ଡାକିଲେ ବି ଯାଉନଥିଲା । ଦୁଇ ଦୁଇ ଥର ମନା କରିବା ପରେ ତୃତୀୟ ଥର ରାଜି ହୋଇଥିଲା ଯିବାକୁ । ଘରଲୋକ ବି କାହିଁକି ମନା କରିଥାନ୍ତେ । ପଡ଼ୋଶୀଙ୍କ ଗୋଟେ କୁନି ଝିଅଟିଏ ଅଛି । ତା’ ସହିତ ଖେଳିବାକୁ ଯଦି ପଡ଼ୋଶୀ ଘର ମହିଳା ଡାକୁଛନ୍ତି ତାହେଲେ ସେମାନେ କାହିଁକି ବା ବାରଣ କରିଥାନ୍ତେ । କିଛି ମୁହୂର୍ତ୍ତ ଭିତରେ ଯେ, ଏତେ ବଡ଼ ଘଟଣା ଘଟିଯିବ ସେକଥା କେହି ବି ବିଶ୍ବାସ କରିପାରୁନଥିଲେ । ପରିବାର ଲୋକ ଯାଇ ଦେଖିଲା ବେଳକୁ ପଡ଼ୋଶୀ ଘରେ ଗଳାରେ ଓଡ଼ଣୀ ବନ୍ଧା ଅବସ୍ଥାରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିଲା ୫ବର୍ଷର ପୁଅ । ତୁରନ୍ତ ପାଖରେ ଥିବା ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ ।  ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ କୁଆଡ଼େ ନିଜ ଘରକୁ ଡାକିନେଇଥିବା ପଡ଼ୋଶୀ ମହିଳା ଶିଶୁକୁ ହତ୍ୟା କରିଛନ୍ତି ।

ସେପଟେ ଅଭିଯୁକ୍ତ ମହିଳା କୁଆଡ଼େ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବାରୁ ତାଙ୍କୁ ଏମସ୍ ହସ୍ପିଟାଲକୁ ନେଇଯାଇଥିଲେ ତାଙ୍କ ସ୍ବାମୀ ।  ଭୁବନେଶ୍ବର ଆଇଗିଣିଆ  ରାଜୀବ ନଗରରେ ଘଟିଛି ଏଭଳି ଛାତିଥରା ଘଟଣା । ରାଜୀବ ନଗରରେ ଭଡ଼ାରେ ରହୁଥିବା ସଂପୃକ୍ତ ମହିଳାଙ୍କ ମାନସିକ ବିକୃତି ଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ନିଜର ଗୋଟିଏ ଛୋଟ ଝିଅଟିଏ ଥିବା ବେଳେ ପଡ଼ୋଶୀ ଘରର ୫ବର୍ଷର ପୁଅକୁ କେମିତି ଓ କ’ଣ ପାଇଁ ସେ ହତ୍ୟା କରିବାକୁ ପଛାଇଲେ ନାହିଁ ତାକୁ ନେଇ ନାନା ସଂଦେହ ସୃଷ୍ଟି ହୋଇଛି ।

ଖବର ପାଇ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲେ ମଧ୍ୟ ଅଭିଯୁକ୍ତ ମହିଳା କିମ୍ବା ତାଙ୍କ ସ୍ବାମୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ କେଉଁ ପରିସ୍ଥିତିରେ ଏତେ ବଡ଼ ଘଟଣା ଘଟିଗଲା ?  ଶିଶୁ ହତ୍ୟା ପଛର ପ୍ରକୃତ କାରଣ କ’ଣ ହୋଇପାରେ ?  ଏଭଳି ଘଟଣା ବେଳେ ଅଭିଯୁକ୍ତ ମହିଳାଙ୍କ ଛୋଟ ଝିଅଟି କେଉଁଠି ଥିଲା ? ତା’ର ଆଖି ସାମ୍ନାରେ କ’ଣ ସମସ୍ତ ଘଟଣା ଘଟିଛି କି ?  ଏସବୁ ରହସ୍ୟ ଉପରୁ ଏବେ ପରଦା ହଟାଇପାରିବ ପୋଲିସର ତଦନ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.