ବାଦୁଡ଼ି ମାରିଲେ ୫ ହଜାର ଜରିମାନା...

Published By : Prameya-News7 Bureau | August 09, 2020 IST

କେନ୍ଦୁଝର ୦୯।୦୮: ସଞ୍ଜ ନଇଁଲେ ବାଦୁଡ଼ିମାନେ ବିଚରଣରେ ବାହାରି ଯାଉଥିବାବେଳେ ସୂର୍ଯ୍ୟ ଉଦୟ ପୂର୍ବରୁ ଗାଁକୁ ଫେରି ଆସନ୍ତି । ବାଦୁଡ଼ିଙ୍କ କଳରବ ଗ୍ରାମବାସୀଙ୍କ ସହ ସମ୍ପର୍କକୁ ଆଉ ଟିକିଏ ଘନିଷ୍ଠ କରିଛି । ସେମାନଙ୍କ ସୁରକ୍ଷା ପାଇଁ ଗ୍ରାମବାସୀ କଠୋର ପଦକ୍ଷେପ ନେଇଛନ୍ତି । ବାଦୁଡିଙ୍କୁ କ୍ଷତି ପହଞ୍ଚାଇଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବ ବୋଲି ଗାଁ ବୈଠକରେ ନିଷ୍ପତ୍ତି ହୋଇଛି । ବାଦୁଡ଼ି ଓ ମଣିଷ ମଧ୍ୟରେ ଏଭଳି ନିଆରା ସମ୍ପର୍କର ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ତରମାକାନ୍ତ ଗ୍ରାମରେ । ବିଶ୍ୱରୁ ବାଦୁଡ଼ିଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ଗ୍ରାମବାସୀଙ୍କ ଏହି ପ୍ରୟାସକୁ ପ୍ରଶଂସା କରାଯାଉଛି ।

ପିଢ଼ି ପରେ ପିଢ଼ି ତରମାକାନ୍ତ ଗ୍ରାମର କଣ୍ଢେଇବିରା ଗାଁ ଶାଳରେ ରହିଆସୁଛନ୍ତି ହଜାର ହଜାର ବାଦୁଡ଼ି । ଏହି ଶାଳର ପଶ୍ଚିମ ଦିଗରେ କଣ୍ଢେଇବିରାଙ୍କ ମନ୍ଦିର ରହିଥିବାବେଳେ ପୂର୍ବରେ ମା’ ତାରିଣୀଙ୍କ ମନ୍ଦିର ରହିଛି । ଲୋକେ ବାଦୁଡ଼ିଙ୍କୁ ଠାକୁର ଠାକୁରାଣୀଙ୍କ ଆଶ୍ରିତ ବୋଲି ବିଚାର କରୁଛନ୍ତି । ବାଦୁଡିଙ୍କ ସଂଖ୍ୟା ବଢ଼ିଲେ ତାଙ୍କ ମଳରୁ ବିଭିନ୍ନ ଫଳ ଫୁଲ ଗଛ ଅଙ୍କୁରିତ ହୋଇଥାଏ । ବାଦୁଡ଼ି ଯୋଗୁଁ ତରମାକାନ୍ତ ଅଞ୍ଚଳରେ ମଧ୍ୟ ବିଭିନ୍ନ ବୃକ୍ଷ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ ଏମାନଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ । କଣ୍ଢେଇବିରା ଶାଳର ଉନ୍ନତି କରଣ ସହ ବାଦୁଡ଼ିଙ୍କ ସୁରକ୍ଷା ପାଇଁ ୨୧ ଜଣିଆ କମିଟି ଗଠନ କରାଯାଇଛି । ଗାଁ ମୁଖିଆ ଦୁର୍ଯ୍ୟୋଧନ ପଲେଇଙ୍କୁ କମିଟିର ସଭାପତି କରାଯାଇଛି । ପ୍ରତି ମାସରେ କମିଟି ମାଧ୍ୟମରେ ବୈଠକ କରି ବାଦୁଡ଼ିଙ୍କ ସୁରକ୍ଷା ପାଇଁ ପ୍ରତି ଘରୁ ପାଣ୍ଠି ସଂଗ୍ରହ କରାଯାଉଛି । ଗ୍ରାମବାସୀ ତଥା ଏହି କମିଟିର ସଦସ୍ୟମାନେ ବାଦୁଡ଼ିଙ୍କ ସୁରକ୍ଷା ପାଇଁ ନିଜସ୍ୱ ଅର୍ଥରେ ଏହି ଶାଳ ଚତୁଃପାଶ୍ୱର୍ରେ ତାର ବାଡ଼ ଘେରାଇଛନ୍ତି । ଶାଳ ଭିତରେ ରହିଥିବା ବହୁ ପୁରୁଣା ଗଛ ନଷ୍ଟ ହେବାକୁ ବସିଥିବାବେଳେ ବାଦୁଡ଼ିଙ୍କ ସମସ୍ୟା ଆଶଙ୍କା କରି ବୃକ୍ଷରୋପଣ ମଧ୍ୟ କରୁଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାଦୁଡ଼ିଙ୍କୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରୁଥିବା ବ୍ୟକ୍ତି କିମ୍ବା ଶିକାରୀଙ୍କଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ ଧାର୍ଯ୍ୟ କରିଛନ୍ତି ଗ୍ରାମବାସୀ । ବର୍ଷ ବର୍ଷ ଧରି ବାଦୁଡ଼ିଙ୍କ ପ୍ରତି ତରମାକାନ୍ତ ଗ୍ରାମବାସୀଙ୍କ ଭଲପାଇବା ଯୋଗୁଁ ବର୍ତ୍ତମାନ ତରମାକାନ୍ତ ଗ୍ରାମରେ ବାଦୁଡ଼ିଙ୍କ ଦ୍ରୁତ ବଂଶବୃଦ୍ଧି ଘଟୁଛି । ବର୍ତ୍ତମାନ ତରମାକାନ୍ତ ଗାଁରେ ବାଦୁଡ଼ିଙ୍କ ସଂଖ୍ୟା ଲକ୍ଷେ ପାର୍‌ ହେଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.