କେନ୍ଦୁଝର ଜିଲ୍ଲା କାରାଗାରରୁ ମୁକ୍ତ ହେଲେ ୫ କଏଦୀ
3/10/2019 at 4:49 PM

କେନ୍ଦୁଝର ୩।୧୦: କେନ୍ଦୁଝର ଜେଲରେ ସଜ୍ଜା କାଟୁଥିବା ୫ ଜଣ କଏଦୀ ମୁକ୍ତ ହୋଇଛନ୍ତି । ଗାନ୍ଧିଜୀଙ୍କ ୧୫୦ତମ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ସରକାର ସେମାନଙ୍କୁ ମୁକ୍ତ କରିଛନ୍ତି । କେନ୍ଦୁଝର ଜିଲ୍ଲା କାରାଗାରରେ ସ୍ବଳ୍ପ ମିଆଦ ସଜ୍ଜା କାଟୁଥିବା ୫ ଜଣ କଏଦୀଙ୍କର ବାକିଥିବା ଦଣ୍ଡକୁ ମାଫ୍ କରିଦେଇ ତାଙ୍କୁ ଜେଲରୁ ମୁକ୍ତ କରିଛନ୍ତି । ଏହି ୫ଜଣ କଏଦୀ ହେଲେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳର ୪୧ ବର୍ଷ ବୟସ୍କ ଯଦୁମଣି ନାଏକ ଯିଏକି ଅଣ୍ଡର ସେକ୍ସନ ୩୦୪ ଧାରାରେ ୧୦ବର୍ଷ ସଜ୍ଜା କାଟୁଥିଲେ,
ସେହିପରି ତୁରୁମୁଙ୍ଗା ଥାନା ଅଞ୍ଚଳର ୩୨ ବର୍ଷ ବୟସ୍କ ଡମ୍ବରୁ ନାଏକ ସେ ଅଣ୍ଡର ସେକ୍ସନ ୩୨୩-୫୦୬-୩୦୪ ଧାରାରେ ଆଠ ବର୍ଷର ସଜ୍ଜା କାଟୁଥିଲେ । ସେହିପରି କାପାଣି ଥାନା ଅଞ୍ଚଳର ୩୧ବର୍ଷ ବୟସ୍କ ବିଜୁ ଜୁଆଙ୍ଗ ଅଣ୍ଡର ସେକ୍ସନ ୩୦୪ ପାର୍ଟ ଟୁ ଅଫ୍ ଆଇପିସି ଧାରାରେ ଦୁଇ ହଜାର ଟଙ୍କା ଜରିମନା ସହ ୭ ବର୍ଷ ସଜ୍ଜା କାଟୁଥିଲେ । ନୟାକୋଟ ଥାନା ଅଞ୍ଚଳର ୪୪ ବର୍ଷ ବୟସ୍କ ଭାଗି ମୁଣ୍ଡା ଅଣ୍ଡର ସେକ୍ସନ ୩୦୪ ପାର୍ଟ ଟୁ ଅଫ ଆଇପିସି ଧାରାରେ ୬ ବର୍ଷ ଜେଲ୍ ଦଣ୍ଡ ସଜ୍ଜା କାଟୁଥିଲେ, ଓ ତେଲକୋଇ ଥାନା ଅଞ୍ଚଳର ୬୩ ବର୍ଷ ବୟସ୍କ ଜଳଧର ଦଳନାଏକ ଅଣ୍ଡର ସେକ୍ସନ ୩୨୪ ଧାରାରେ ୫୦୦ ଟଙ୍କା ଜରିମନା ସହ ୨ ବର୍ଷର ସଜ୍ଜା କଟୁଥିଲା । ଏମାନଙ୍କୁ ଗତକାଲି କେନ୍ଦୁଝର ଜିଲ୍ଲା କାରାଗାରରୁ ମୁକ୍ତ କରିଦିଆଯାଇଛି ।