କରୋନା ଯୋଦ୍ଧାଙ୍କୁ ସଲାମ କରୁଛି ସାରା ଦେଶ : ୫ମାସର ଗର୍ଭବତୀ ଥାଇ ମଧ୍ୟ ଦିନରାତି କରୁଛନ୍ତି କରୋନା ରୋଗୀଙ୍କ ଚିକିତ୍ସା
17/04/2020 at 3:31 PM

ଭାଗଲପୁର ୧୭/୪: ଶାନ୍ତି କୁମାରୀ ନାମ୍ନୀ ଜଣେ ନର୍ସ ପେଟରେ ୫ମାସର ଗର୍ଭରେ ମଧ୍ୟ କରୋନା ବିରୋଧରେ ଯୁଦ୍ଧ କରୁଛନ୍ତି। ଭାଗଲପୁର ଜିଲ୍ଲାର ପ୍ରଭାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏଏନଏମ୍ ଶାନ୍ତି କୁମାରୀ ଏବେ ରୋଗୀଙ୍କ ସେବା ଶ୍ରୃଶୃଷାରେ ଲାଗିଛନ୍ତି।
ଶାନ୍ତିଙ୍କ ବିବାହ ନଭେମ୍ବର ମାସରେ ଭାଗଲପୁରର ନାଥନଗର ବାସିନ୍ଦା ଶିକ୍ଷକ ନିରଞ୍ଜନ କୁମାରଙ୍କ ସହ ହୋଇଥିଲା। ଏବେ ଶାନ୍ତି ୫ମାସର ଗର୍ଭବତୀ। ତାଙ୍କ ସ୍ଥିତି ଦେଖି ବରିଷ୍ଠ ଅଧିକାରୀ ଛୁଟିରେ ରହିବାକୁ କହିଥିଲେ,କିନ୍ତୁ ଶାନ୍ତିଙ୍କ ସାହସ କଠିନ ସମୟରେ ମୈଦାନ ଛାଡ଼ିବାକୁ ଅନୁମତି ଦେଇନଥିଲା। ପରିବାର ମଧ୍ୟ ସହଯୋଗ କରିଥିଲେ ଏବଂ ଶାନ୍ତି କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହୋଇନଥିଲେ।
ଶାନ୍ତି ୪ବର୍ଷରୁ ଚାକିରୀ କରୁଛନ୍ତି। ତାଙ୍କୁ ଦୁଃଖୀ ଲୋକଙ୍କ ସାହାଯ୍ୟ କରିବାକୁ ଭଲ ଲାଗିଥାଏ। ସେ କୁହନ୍ତି କରୋନା ଭଳି ବିପତ୍ତି ସମୟରେ ତାଙ୍କର ଆବଶ୍ୟକତା ରହିଛି। ସେ ସ୍ବାସ୍ଥ୍ୟ ବିଭାଗ ଟିମ୍ ସହ ଯାଇ ଦିନସାରା ଗାଁ ଗାଁ ବୁଲି ଲୋକଙ୍କ ସ୍କ୍ରିନିଂ କରୁଛନ୍ତି। ଏହା ସହିତ କରୋନାଠୁ ବର୍ତ୍ତିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି।