ଟାଓ୍ଵାର ନାହିଁ ତ ଭୋଟ୍ ନାହିଁ: ପାଞ୍ଚ ଗ୍ରାମ ପଞ୍ଚାୟତର ନିର୍ବାଚନ ବର୍ଜନ, ଜିଲ୍ଲାପାଳଙ୍କ ଆଲୋଚନା ବିଫଳ, ଜଣେ ବି ଭରିଲେନି ନାମାଙ୍କନ

Published By : Prameya-News7 Bureau | January 21, 2022 IST

ଦେବଗଡ ୨୧।୦୧: ମୋବାଇଲ ଟାଓ୍ଵାର ନାହିଁ ତ ଭୋଟ୍ ନାହିଁ। ଏହି ଜିଦରେ ଅଟଳ ରହିଲେ ଗ୍ରାମବାସୀ। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦେବଗଡ ଜିଲ୍ଲାର ପାଞ୍ଚୋଟି ଗ୍ରାମ ପଞ୍ଚାୟତ ଅଧିବାସୀ ନିର୍ବାଚନ ବର୍ଜନ ନିଷ୍ପତ୍ତି ନେଇଥିବା ବେଳେ ଏଥିପାଇଁ କେହି ବି ପ୍ରାର୍ଥୀ ପତ୍ର ଦାଖଲ କରିନାହାନ୍ତି । ଦେବଗଡ ଜିଲ୍ଲାର ଅପହଞ୍ଚ ଇଲାକା ଭାବେ ପରିଚିତ ଲଇମୁରା ଅଞ୍ଚଳର ପାଞ୍ଚଟି ଗ୍ରାମ ପଞ୍ଚାୟତ ଅଧିବାସୀ ମୋବାଇଲ ଟାୱାର ନଥିବା ଯୋଗୁଁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଥିଲା ।

ଶୁକ୍ରବାର ତିଲେଇବଣୀ ବ୍ଲକ ପରିସରରେ ଦେବଗଡ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ସଂପୃକ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିବା ବେଳେ ଗ୍ରାମବାସୀମାନେ ମନୋନୟନ ପ୍ରକ୍ରିୟାରେ ସାମିଲ ନହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅପରପକ୍ଷରେ ଜିଲ୍ଲାପାଳଙ୍କ କହିବା କଥା ସଂପୃକ୍ତ ଗ୍ରାମ ପଞ୍ଚାୟତ ଅଧିବାସୀଙ୍କ ସହ ସେ କରିଥିବା ଆଲୋଚନା ସଫଳ ହୋଇଛି । ମାତ୍ର ଗ୍ରାମବାସୀମାନଙ୍କ କହିବା କଥା ସେମାନେ ନିଜ ଅଞ୍ଚଳକୁ ଗଲା ପରେ ସମସ୍ତଙ୍କ ସହ ବୈଠକ କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ।

ସେହିଭଳି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ସମୟ ସୀମା ଶୁକ୍ରବାର ୨୧ ତାରିଖ ଦିନ ତିନିଟା ପର୍ଯ୍ୟନ୍ତ ହୋଇଥିବା ବେଳେ ଏହି ସମୟ ସୀମା ମଧ୍ୟରେ ଡିମିରିକୁଦା, ଗଣ୍ଡମ, ଝରାଗୋଗୁଆ, ପାରପୋଷୀ ଓ ଝାରମୁଣ୍ଡା ଗ୍ରାମ ପଞ୍ଚାୟତ ରେ କେହି ବି ପ୍ରାର୍ଥୀ ପତ୍ର ଦାଖଲ କରିନାହାଁନ୍ତି। ଡିମିରିକୁଦା ଗ୍ରାମ ପଞ୍ଚାୟତର ଦୁଧପୋଷୀ ଗ୍ରାମର ଅନୀଲ କୁମାର ଲାକ୍ରା ସମିତି ସଭ୍ୟ ପାଇଁ ମନୋନୟନ ପତ୍ର ନେଇଥିବା ବେଳେ  ସେ ମଧ୍ୟ ନିର୍ବାଚନ ପ୍ରକ୍ରିୟା ରେ ସାମିଲ ନହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଓ ପ୍ରାର୍ଥୀ ପତ୍ର ଦାଖଲ କରିନାହାନ୍ତି । ପାଞ୍ଚଟି ଗ୍ରାମ ପଞ୍ଚାୟତ ଅଧିବାସୀଙ୍କ ପକ୍ଷରୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.