ନକଲି ଶିକ୍ଷକଙ୍କ କାରନାମା ଖୋଲି ଖୋଲି ଯାଉଛି, ଧରାପଡିଲେ ଆଉ ୫
19/12/2019 at 10:24 AM

ବ୍ରହ୍ମପୁର ୧୯।୧୨: ଗଞ୍ଜାମ ଜିଲ୍ଲାରେ ପୁଣି ନକଲି ଶିକ୍ଷକଙ୍କ କାରନାମା ପଦାରେ ପଡିଛି । ଧରାପଡିଛନ୍ତି ୫ ଜଣ ନକଲି ଶିକ୍ଷକ। ମିଥ୍ୟା ସିଟି ପ୍ରମାଣ ପତ୍ର ଦାଖଲ କରି ଚାକିରି ପାଇଥିବା ୫ ଜଣ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଥାନାରେ ମାମଲା ରୁଜୁ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ସଂପୃକ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।
ଜିଲ୍ଲା ଶିକ୍ଷା ଅଧିକାରୀ ୩୩ଜଣ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍କୁ ଅନୁରୋଧ କରିଥିଲେ। ବୋର୍ଡ ଏ ନେଇ ୫ଜଣ ଶିକ୍ଷକଙ୍କ ପ୍ରମାଣପତ୍ର ନକଲି ଥିବା ଦର୍ଶାଇଛି । କବିସୂର୍ଯ୍ୟନଗର ବ୍ଲକ୍ ଋଷିପୁର ୟୁ.ଜି.ଏଚ୍.ଏସ୍ ସ୍କୁଲର ଭିକାରୀ ଚରଣ ସାହୁ, ବେଗୁନିଆପଡା ବ୍ଲକ୍ର ଏଲ୍.ଆର୍.ଏନ୍ ପୁର ଅଞ୍ଚଳର ସୁଜାତା ପଣ୍ଡା, ମଙ୍ଗଳପୁର ଅଞ୍ଚଳର ପରମାନନ୍ଦ ସାହୁ, ଶେରଗଡ ବ୍ଲକ୍ ପି. ଖରିଡା ଅଞ୍ଚଳର ସଞ୍ଜୟ କୁମାର ଖଟେଇ, ବନ୍ଧଗୁଡା ଅଞ୍ଚଳର ଭଗବାନ ମହାନ୍ତି ୫ଜଣ ଶିକ୍ଷକ ଜାଲ ପ୍ରମାଣପତ୍ର ଦାଖଲ କରି ଶିକ୍ଷକତା କରୁଥିବା ଜଣାପଡିଛି।
ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ମିଳିବା ପରେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୨୧ଜଣ ନକଲି ଶିକ୍ଷକଙ୍କ ବିରୋଦରେ ମାମଲା ରୁଜୁ କରାଯାଇଥିବା ବେଳେ ଆଗାମୀ ଦିନରେ ଏଭଳି ଧରପଗଡ ଚାଲୁ ରହିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି।