ଯାତ୍ରା ଦେଖି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା ; ୫ ମୃତ, ଜଣେ ଗୁରୁତର
7/01/2019 at 8:06 AM

କେନ୍ଦ୍ରାପଡା ୭|୧: ଯାତ୍ରା ଦେଖା କାଳ ହେଲା, ଦୁର୍ଘଟଣା ନେଲା ୫ ଜୀବନ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଅଳାବାଙ୍କ ଛକଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି । ଗାଡିରେ ଥିବା ଅନ୍ୟଜଣେ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶର ଅଁଳାବାଙ୍କ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗାଡିରେ ଥିବା ଅନ୍ୟଜଣେ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି | ତଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ରବିବାର ବିଳମ୍ବିତ ରାତିରେ ଜାତୀୟ ରାଜପଥରେ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡିର ଆଗ ପଟ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଘଟଣାସ୍ଥଳରେ ହିଁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ମାନେ ହେଲେ ରାଜନଗର ଗୁପ୍ତିର ରାଜେଶ ଜେନା, ପଟ୍ଟାମୁଣ୍ଡାଇ ବେଲତଳର ଦେବାଶିସ ସେଠୀ, ଅନୁଗୁଳର ସଂଗ୍ରାମୀ ମଲ୍ଲିକ ଓ ଗାଡି ଚାଳକ ତ୍ରିଷୁ ସାହୁ । ଦୁର୍ଘଟଣା ପରେ ଗାଡିଟି ଚିପି ହୋଇ ଯାଇଥିବାରୁ ଆଗ ସିଟ୍ ରେ ବସିଥିବା ଗାଡି ଡ୍ରାଇଭର୍ ଓ ଅନ୍ୟଜଣେ ଯାତ୍ରୀଙ୍କୁ ଗ୍ୟାସ୍ କଟର ସାହାଯ୍ୟରେ କାଟି ବାହାର କରିବାକୁ ପଡିଥିଲା | ଦୁର୍ଘଟଣାଗ୍ରସ୍ତ ଗାଡିଟି ରାସ୍ତା କଡରେ ଛିଡା ହୋଇଥିବା କୌଣସି ଗାଡିର ପଛ ପଟରେ ପିଟି ହୋଇଥିବାର ଅନୁମାନ କରାଯାଉଛି । ଦୁର୍ଘଟଣାଗ୍ରସ୍ତ ଯାତ୍ରୀମାନେ କେନ୍ଦ୍ରାପଡ଼ା ରୟାଲ ଡ୍ୟାନ୍ସ ଗ୍ରୁପର ବୋଲି ଜଣାପଡିଛି । ପାଣିକୋଇଲିଠାରେ ଯାତ୍ରା ଦେଖିବାକୁ ଯାଇ ଫେରୁ ଥିବା ବେଳେ ସେମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି ।