ରୋହିତ ଶର୍ମା ସମେତ ୫ କ୍ରୀଡାବିତ୍‌ଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ, ଦୂତିଙ୍କୁ ମିଳିବ ଅର୍ଜୁନ ପୁରସ୍କାର

Published By : Prameya-News7 Bureau | August 21, 2020 IST

ନୂଆଦିଲ୍ଲୀ ୨୧।୦୮: ତାରକା କ୍ରିକେଟ୍‌ର ରୋହିତ ଶର୍ମା, ମଲ୍ଲଯୋଦ୍ଧା ବିନେଶ ଫୋଗାଟ, ମହିଳା ହକି ଦଳର ଅଧିନାୟକ ରାଣୀ ରାମପାଲ, ଟେବୁଲ ଟେନିସ୍ ଖେଳାଳି ମନିକା ବାତ୍ରା ଓ ପାରା ଆଥାଲେଟ୍‌ ମରିୟପ୍ପନ ଥଙ୍ଗବେଲୁ ଆଦି ୫ କ୍ରୀଡାବିତ୍‌ଙ୍କୁ ଚଳିତ ବର୍ଷ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ମିଳିବ। କ୍ରୀଡା ମନ୍ତ୍ରଣାଳୟ ଚୟନ କମିଟିଙ୍କ ସୁପାରିଶ ଉପରେ ମୋହର ମାରିଛି। ଏହା ସହିତ ଓଡିଆ ଆଥଲେଟ୍ ଦୂତି ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର। ଚଳିତ ବର୍ଷ ୨୯ ଖେଳାଳି ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେବେ। କ୍ରୀଡା ମନ୍ତ୍ରଣାଳୟଙ୍କ ୧୨ ସଦସ୍ୟ ବିଶିଷ୍ଟ ଚୟନ କମିଟି ଏହି ସୁପାରିଶ କରିଥିଲେ।

ଚତୁର୍ଥ କ୍ରିକେଟ୍‌ର ହେବେ ରୋହିତ ଶର୍ମା

୩୩ ବର୍ଷୀୟ ରୋହିତ ଶର୍ମା ଖେଳରତ୍ନ ପାଇବାରେ ଚତୁର୍ଥ କ୍ରିକେଟ୍‌ର ହେବେ। ଏହା ପୂର୍ବରୁ ସଚିନ  ତେନ୍ଦୁଲକର, ନିକଟରେ ଅବସର ନେଇଥିବା ମହେନ୍ଦ୍ର ସିଂହ ଧୋନି ଓ ଅଧିନାୟକ ବିରାଟ କୋହଲିଙ୍କୁ ଏହି ସମ୍ମାନ ମିଳି ସାରିଛି। ତେନ୍ଦୁଲକର ପ୍ରଥମ ଭାରତୀୟ କ୍ରିକେଟ୍‌ର ଭାବେ ୧୯୯୮ରେ ଖେଳରତ୍ନ ପୁରସ୍କାର ପାଇଥିଲେ। ଧୋନି ୨୦୦୭ ଏବଂ କୋହଲି ୨୦୧୮ରେ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ। କମିଟିରେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ଵାଗ ଓ ପୂର୍ବତନ ହକି ଅଧିନାୟକ ସର୍ଦ୍ଦାର ସିଂହ ମଧ୍ୟ ସାମିଲ।

କାହାକୁ କଣ ପାଇଁ ମିଳିବ ଏହି ସମ୍ମାନ

ରୋହିତଙ୍କୁ ତାଙ୍କର ଦମଦାର ବ୍ୟାଟିଂ କାରଣରୁ ଏହି ସର୍ବୋଚ୍ଚ କ୍ରୀଡା ପୁରସ୍କାର ପାଇଁ ଚୟନ କରାଯାଇଛି। ଅନ୍ୟପଟେ ବିନେଶଙ୍କୁ ୨୦୧୮ରେ ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସୀୟକ୍ରୀଡାରେ ସ୍ଵର୍ଣ୍ଣ ପଦକ ଓ ୨୦୧୯ରେ ଏସୀୟ କୁସ୍ତି ଚାମ୍ପିଅନସିପ୍‌ରେ କାଂସ୍ୟ ପଦକ ଜିତିବା ପାଇଁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ବିନେଶ ଏହାକୁ ନିଜ କ୍ୟାରିୟରର ସବୁଠୁ ମହତ୍ଵପୂର୍ଣ୍ଣ କ୍ଷଣ କହିଛନ୍ତ। ଥଙ୍ଗବେଲୁଙ୍କୁ ୨୦୧୬ରେ ରିଓ ଅଲିମ୍ପିକ କ୍ରୀଡାରେ ଟି୪୨ ହାଇଜମ୍ପରେ ସ୍ଵର୍ଣ୍ଣ ପଦକ ଜିତିଥିବାରୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ।

ଟେବୁଲ  ଟେନିସ୍ ଖେଳାଳି ମନିକାଙ୍କ ସୁପାରିଶ ୨୦୧୮ରେ ତାଙ୍କର ଦମଦାର ପ୍ରଦର୍ଶନ ପାଇଁ କରାଯାଇଛି। ସେ ୨୦୧୮ରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ଵର୍ଣ୍ଣ ଏବଂ ଏସୀୟ କ୍ରୀଡାରେ କାଂସ୍ୟ ପଦକ ଜିତିଥିଲେ। ରାନି କେବଳ ତୃତୀୟ ଓ ପ୍ରଥମ ମହିଳା ହକି ଖେଳାଳି ଯାହାଙ୍କ ନାମରେ ଏହି ପୁରସ୍କାର ପାଇଁ ସୁପାରିଶ କରାଯାଇଛି।

କ୍ରୀଡା ଦିବସରେ ଦିଆଯିବ ପୁରସ୍କାର

ଚଳିତ ବର୍ଷ ଜାତୀୟ ପୁରସ୍କାର ସମାରୋହର ଆୟୋଜନ କୋଭିଡ୍-୧୯ କାରଣରୁ ଭର୍ଚୁଆଲ ହେବାର ସମ୍ଭାବନା ରହିଛି। ବିଜେତା ନିଜର ସମ୍ବନ୍ଧିତ ଅଞ୍ଚଳରୁ ଲଗ୍‌ ଇନ୍‌ କରି ଅଗଷ୍ଟ ୨୯ରେ ଏହି ସମାରୋହରେ ଯୋଗ ଦେବେ। ସାଧାରଣତଃ ପୁରସ୍କାର ସମାରୋହର ଆୟୋଜନ ରାଷ୍ଟ୍ରପତି ଭବନରେ ହୋଇଥାଏ। ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ଅଗଷ୍ଟ ୨୯କୁ ଦେଶରେ ରାଷ୍ଟ୍ରୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.