ବ୍ୟବସାୟୀଙ୍କ ଏଜେଣ୍ଟଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ : ୫ ଜଣ ଲୁଟେରା ଗିରଫ

Published By : Prameya-News7 Bureau | February 07, 2020 IST

ବ୍ରହ୍ମପୁର ୭।୨: ବ୍ରହ୍ମପୁର ପୋଲିସକୁ ମିଳିଲା ବଡ ସଫଳତା। ବ୍ୟବସାୟୀଙ୍କ ଏଜେଣ୍ଟଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ବ୍ରହ୍ମପୁର ପୋଲିସ ୫ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୩୬ ଲକ୍ଷ ୭୭ ହଜାର ଟଙ୍କା, ୪୭ ହଜାର ଟଙ୍କାର ସୁନା ଗହଣା, ଗୋଟିଏ ମୋଟରସାଇକେଲ୍, ୬ଟି ମୋବାଇଲ୍ ଫୋନ୍ ଜବତ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣ ଫେରାର୍ ଥିବାବେଳେ ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସ୍.ପି କହିଛନ୍ତି।

ଗତ ୨୩ ତାରିଖରେ ବ୍ରହ୍ମପୁର ଖୁସି ଟ୍ରେଡିଂ କଂପାନୀ ନାମକ ଏକ ସଂସ୍ଥାରୁ ଏଜେଣ୍ଟ୍  ଟଙ୍କା ସଂଗ୍ରହ କରି ଭୁବନେଶ୍ବର ଯାଉଥିବା ବେଳେ ବନ୍ଧୁକ ମୁନରେ ଭୟଭୀତ କରାଇ ଟଙ୍କା ବ୍ୟାଗ୍ ଲୁଟ୍ କରିନେଇଥିଲେ। ବ୍ୟାଗ୍‌ରେ ୫୦ ଲକ୍ଷ ଟଙ୍କା ଥିଲା। କୋଲକାତାର ଜଣେ ବ୍ୟବସାୟୀ ବ୍ରହ୍ମପୁରର ବିଭିନ୍ନ ଦୋକାନକୁ ଜିନିଷ ଯୋଗାଣ କରୁଥିବା ବେଳେ ବକେୟା ଟଙ୍କା ସଂଗ୍ରହ କରିବାକୁ ଏଜେଣ୍ଟ୍‌କୁ ପଠାଇଥିଲେ।  ଏ ନେଇ କୋଲକାତାର ବ୍ୟବସାୟୀ ଅଶୋକ କୁମାର ବୁନ୍ଦ୍ରା ବ୍ରହ୍ମପୁର ବଡ ବଜାର ପୋଲିସ ଥାନାରେ ୨୫ ତାରିଖରେ ଅଭିଯୋଗ କରିଥିଲେ।

ପୋଲିସ ଘଟଣାର ଅନୁସନ୍ଧାନ କରି ୫ ଜଣଙ୍କୁ ଗିରଫ କରି ଟଙ୍କା, ସୁନା ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ଥିବା ପୋଲିସ କହିଛି। ଘଟଣାର ଅଧିକ ତଦନ୍ତ ଚାଲିଛି। ଏହି ଘଟଣାରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କ ସଂପୃକ୍ତି ଥିବା ସନ୍ଦେହରେ ପୋଲିସ ଅଧିକ ପଚରାଉଚରା କରି ସୁଧାର ଗୃହରେ ରଖିଥିଲେ। ତଦନ୍ତ ପରେ ସଂପୃକ୍ତ ଛାତ୍ରୀଜଣଙ୍କୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.