ଡାକ୍ତରଖାନାରୁ ଧରା ହେଲେ ୫ ଦଲାଲ - ପ୍ରଲୋଭନ ଦେଖାଇ ଘରୋଇ ନର୍ସିଂହୋମକୁ ନେଉଥିଲେ ରୋଗୀ

Published By : Prameya-News7 Bureau | September 26, 2019 IST

ସମ୍ବଲପୁର ୨୬।୦୯ - ବୁର୍ଲା ମେଡିକାଲରୁ ୫ ଦଲାଲ ଗିରଫ ହୋଇଛନ୍ତି  । ରୋଗୀଙ୍କୁ ପ୍ରଭାବିତ କରି, ଘରୋଇ ନର୍ସିଂହୋମ୍‌କୁ ୪ଜଣ ରୋଗୀଙ୍କୁ ନେଉଥିବା ବେଳେ ପୋଲିସ୍‌ ଏମାନଙ୍କୁ ଗିରଫ କରିଛି । ତେବେ ଦଲାଲଙ୍କ ସହ ସାମିଲ ନର୍ସିଂହୋମ୍‌ ମାଲିକ,ଔଷଧ ଦୋକାନୀ କି ଅସାଧୁ ଡାକ୍ତରଙ୍କ ପାଖରେ ପୋଲିସ ପହଞ୍ଚି ପାରିନାହିଁ ।

{"id":163006}

ବୁର୍ଲା ବଡ଼ ଡାକ୍ତରଖାନାରୁ ୫ ଦଲାଲ ଗିରଫ । ୪ ରୋଗୀଙ୍କୁ ନାନା ପ୍ରଲୋଭନ ଦେଖାଇ ଘରୋଇ ନର୍ସିଂ ହୋମ୍  କୁ ନେଉଥିବା ବେଳେ ମାଡ଼ିବସିଛି ପୋଲିସ । ଗିରଫ ୫ ଦଲାଲ୍ ହେଲେ ବୁର୍ଲା ଅଞ୍ଚଳର ଦାରା ସିଂ ଲୁହାର, ଅଶୋକ ବାଗ୍‌, ଅମିତ୍‌ କୁମ୍ଭାର ,କୈଳାସ ସୁନା ଓ ଲବ ସେନ୍ଦ୍ରିୟା ।  ସରକାରଙ୍କ ତାଗିଦ୍ ପରେ ପ୍ରଶାସନ ପୁରା ଚେଇଁ ଉଠିଛି । ଆକ୍ସନ ମୋଡରେ ପୋଲିସ । ତେବେ  ୫ ଜଣଙ୍କ ଗିରଫଦାରୀ ପରେ ବି ସ୍ଥାନୀୟ ଲୋକେ ଥଣ୍ଡା ପଡ଼ିନାହାନ୍ତି ।  ଦଲାଲ୍‌ଙ୍କୁ ନିଯୁକ୍ତ କରିଥିବା ନର୍ସିଂହୋମ୍‌ ମାଲିକ, ଘରୋଇ ପାଥୋଲାବ୍‌ ଓ ଅସାଧୁ ଡାକ୍ତରଙ୍କୁ ଗିରଫ କରିବାକୁ ଦାବି ହୋଇଛି ।

ଦୀର୍ଘବର୍ଷ ଧରି ଭୀମ୍‌ସାରରୁ ରୋଗୀମାନଙ୍କୁ ନେଇ, ଘରୋଇ ନର୍ସିଂହୋମ୍‌କୁ ଯୋଗାଉଥିବା ଏଇ ଦଲାଲମାନେ ସ୍ୱୀକାର କରିଛନ୍ତି । ତେବେ ଏମାନେ କେଉଁ ନର୍ସିଂହୋମ୍‌, ଔଷଧ ଦୋକାନ,  ଘରୋଇ ପାଥୋଲାବ ସହ ସଂପୃକ୍ତ, ସେ ନେଇ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ପୋଲିସ୍‌ କହିଛି । ସେହିପରି ବୁର୍ଲା ଭୀମ୍‌ସାର ଓ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କେଉଁ ଡାକ୍ତରମାନେ ରୋଗୀମାନଙ୍କୁ ପ୍ରଲୋଭିତ କରି ଘରୋଇ ହସ୍‌ପିଟାଲ୍‌କୁ ନେଇ ସେଠାରେ ଚିକିତ୍ସା କରୁଛନ୍ତି ସେ ସଂପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି ।

{"id":163007}

ମେଡିକାଲ୍‌ ପରିସରରୁ ଏପରିକି ୱାର୍ଡ ଭିତରୁ ଦଲାଲ୍‌ ଧରାପଡ଼ୁଛନ୍ତି । ହେଲେ ଦୀର୍ଘବର୍ଷ ଧରି ଏହି ଦଲାଲ୍‌ ମାନେ ଯୋଜନାବଦ୍ଧ ଭାବେ ଗରିବ ରୋଗୀଙ୍କୁ ଶୋଷଣ କରୁଥିବା ବେଳେ ପୋଲିସ୍‌ କେଉଁଠି ଥିଲା ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.