ଭାରତ ବାହାରେ ଆମେରିକାରେ ଖୋଲିଲା ପ୍ରଥମ ଯୋଗ ବିଶ୍ଵ ବିଦ୍ୟାଳୟ, ଗୁରୁ ନଗେନ୍ଦ୍ର ହେବେ ସଭାପତି

Published By : Prameya-News7 Bureau | June 24, 2020 IST

ନ୍ୟୁୟର୍କ ୨୪।୦୬: ଷଷ୍ଠ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଭାରତ ବାହାରେ ପ୍ରଥମ ଯୋଗ ବିଶ୍ଵ ବିଦ୍ୟାଳୟ ଆମେରିକାର ଲସ୍‌ ଏଞ୍ଜଲେସ୍‌ରେ ପ୍ରତିଷ୍ଠା ହୋଇଛି। ବିଦେଶ ରାଷ୍ଟ୍ର ମନ୍ତ୍ରୀ ବି ମୁରଲୀଧରଣ ଓ ବୈଦେଶିକ ମାମଲାର ସ୍ଥାୟୀ ସଦସ୍ୟ ପିପି ଚୌଧୁରୀ ନ୍ୟୁୟର୍କରେ ଭାରତୀୟ ମହାବାଣିଜ୍ୟ ଦୂତାବାସରେ ଅନଲାଇନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିବେକାନନ୍ଦ ଯୋଗ ବିଶ୍ଵ ବିଦ୍ୟାଳୟକୁ ମଙ୍ଗଳବାର ଉଦଘାଟନ କରିଛନ୍ତି।

ସ୍ଵାମୀ ବିବେକାନନ୍ଦ ଯୋଗ ଫାଉଣ୍ଡେସନର କୂଳାଧିପତି ତଥା ପ୍ରଖ୍ୟାତ ଯୋଗ ଗୁରୁ ଡ. ଏମଆର ନଗେନ୍ଦ୍ର ଏହି ବିଶ୍ଵ ବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ ହେବେ। ମନ୍ତ୍ରୀ ମୁରଲୀଧରଣ ଏହି ଅବସରରେ କହିଛନ୍ତି ଯେ, ସ୍ଵାମୀ ବିବେକାନନ୍ଦ ଆମେରିକାରେ ଭାଇଚାରାର ସନ୍ଦେଶ ଦେଇଥିଲେ ଯେ, ଭାରତ ବାହାରେ ପ୍ରଥମ ଯୋଗ ବିଶ୍ଵ ବିଦ୍ୟାଳୟ ଜରିଆରେ ଯୋଗର ସନ୍ଦେଶ ଆମେରିକାରୁ ଦୁନିଆରେ ପ୍ରସାରିତ କରାଯାଇ ପାରିବ। ଭାରତର ସଂସ୍କୃତି ଓ ବିରାସତର ପ୍ରତୀକ ରୂପେ ଯୋଗ ବିଶ୍ଵରେ ଏକତା ଓ ଭାଇଚାରର ମାଧ୍ୟମ ପାଲଟିବ। ଯୋଗ ଜରିଆରେ ଆମେ ବୈଶ୍ଵିକ ଶାନ୍ତିର ସନ୍ଦେଶ ଦେଇ ପାରିବୁ। ମୁରଲୀଧରଣ କହିଛନ୍ତି, ଯୋଗ ମାନସିକ ସନ୍ତୁଳନ ଓ ଭାବନାତ୍ମକ ସ୍ଥିରତା ପ୍ରଦାନ କରିଥାଏ।

ମହାବାଣିଜ୍ୟ ଦୂତାବାସ ଓ ଜୟପୁର ଫୁଟ୍ ୟୁଏସଏର ସଭାପତି ତଥା ବିବେକାନନ୍ଦ ଯୋଗ ବିଶ୍ଵ ବିଦ୍ୟାଳୟର ସଂସ୍ଥାପକ ନିର୍ଦ୍ଦେଶକ ପ୍ରେମ ଭଣ୍ଡାରୀ ମିଶି ଏହି କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗ ପରାମର୍ଶଦାତା ଭାବେ ପରିଚିତ ନଗେନ୍ଦ୍ର କହିଛନ୍ତି ସ୍ଵାମୀ ବିବେକାନନ୍ଦ ୧୮୯୩ରେ ଚିକାଗୋରେ ନିଜର ପ୍ରସିଦ୍ଧ ଭାଷଣରେ ଦୁନିଆକୁ ଭାରତୀୟ ଯୋଗର ଭବ୍ୟତାର ପରିଚୟ ଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.