୨୦ ବର୍ଷ ପୂର୍ବରୁ ଆଜି ଦିନରେ ସୋନାଲୀ ବାନାର୍ଜି ଦେଶର ପ୍ରଥମ ମହିଳା ମରୀନ ଇଂଜିନିୟର ହୋଇଥିଲେ। ଆଜିକାଲି ଏ କ୍ଷେତ୍ରରେ ଅନେକ ମହିଳା ଇଂଜିନିୟର ଆଗକୁ ବଢିଲେଣି। ୨୦ ବର୍ଷ ପୂର୍ବରୁ ଏହି କ୍ଷେତ୍ରରେ କାମ କରିବାକୁ କୌଣସି ମହିଳା ସାହସ କରୁନଥିଲେ।
ତେବେ ସେମିତି ଏକ ରକ୍ଷଣଶୀଳ ସମୟରେ ସୋନାଲୀ ଜଣେ ସଫଳ ମରୀନ ଇଂଜିନିୟର ଭାବେ ଗୌରବ ଅର୍ଜ୍ଜନ କରିଥିଲେ । ଥିଲେ।ପିଲାବେଳୁ ସୋନାଲୀଙ୍କୁ ପାଣି, ଯାହାଜକୁ ନେଇ ପ୍ରଚଣ୍ଡ ଆଗ୍ରହ ଥିଲା। ହେଲେ ମରୀନ ଇଂଜିନିୟରିଂ କୋର୍ସକୁ କରିବାକୁ ପ୍ରେରଣା ତାଙ୍କୁ ତାଙ୍କ ମଉସାଙ୍କଠାରୁ ମିଳିଥିଲା।
ସୋନାଲୀଙ୍କ ମଉସା ନୌସେନାରେ ଥିଲେ। ତାଙ୍କୁ ଦେଖି ସୋନାଲୀ ମଧ୍ୟ ତାଙ୍କ ଭଳି କାମ କରିବାର ସ୍ବପ୍ନ ଦେଖିଥିଲେ। ୧୯୯୫ ମସିହାରେ ଆଇଆଇଟିର ପରୀକ୍ଷା ପାସ କରି ସେ ମରୀନ ଇଂଜିନିୟରିଂ କୋର୍ସରେ ଆଡମିସନ ନେଇଥିଲେ।କୋଲକାତା ନିକଟରେ ଥିବା ତରାତଲା ସ୍ଥିତ ମରୀନ ଇଂଜିନିୟରିଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ରେ ସେ ଏହି କୋର୍ସ କରିଥିଲେ।
ସୋନାଲୀ ମାତ୍ର ୨୨ ବର୍ଷ ବୟସରେ ମରୀନ ଇଂଜିନିୟର ହୋଇଥିଲେ। ସୋନାଲୀ ଏମ୍ଆର୍ଆଇ ଅନୁଷ୍ଠାନରେ କୋର୍ସ ପାଇଁ ଭର୍ତ୍ତି ହୋଇଥିଲେ ସତ, ହେଲେ କଲେଜ୍ରେ ଜଣେ ବି ମହିଳା ଛାତ୍ରୀ ନଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
କଲେଜ ପ୍ରଶାସନ ବୁଝିପାରୁନଥିଲା ଯେ, ଜଣେ ଛାତ୍ରୀଙ୍କୁ ସେ କେଉଁଠି ରଖିବେ। ଅନେକ ବିବାଦ ହେବା ପରେ ତାଙ୍କୁ ଅଧିକାରୀମାନଙ୍କ କ୍ବାଟରରେ ରହିବା ପାଇଁ ସ୍ଥାନ ଦିଆଯାଇଥିଲା। ୧୫୦୦ ଛାତ୍ରଙ୍କ ମଧ୍ୟରେ ସେ ଏକା ମହିଳା ଥିଲେ।୧୯୯୯ ମସିହା ଅଗଷ୍ଟ ମାସ ୧୯ ତାରିଖରେ ସେ ଏମ୍ଆର୍ଆଇରୁ ପ୍ରଥମ ମହିଳା ଇଂଜିନିୟର ହୋଇ ବାହାରିଥିଲେ।
କୋର୍ସ ସରିବା ପରେ ମୋବିଲ ସିପିଂ ଦ୍ବାରା ସୋନାଲୀଙ୍କୁ ୬ ମାସ ପାଇଁ ପ୍ରି-ସି କୋର୍ସରେ ଚୟନ କରାଯାଇଥିଲା। ସେହି ସମୟରେ ସେ ସିଙ୍ଗାପୁର, ଶ୍ରୀଲଙ୍ଗ, ଥାଇଲାଣ୍ଡ, ହଙ୍ଗକଙ୍ଗ, ଫିଜି ଓ ଅଷ୍ଟ୍ରେଲିଆ ଭଳି ଦେଶରେ ନିଜର ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କରିଥିଲେ। ସେତେବେଳେ ତାଙ୍କୁ ଅନେକ କଷ୍ଟର ସାମ୍ନା କରିବାକୁ ପଡିଥିଲା।
ସରକାରୀ ସଂସ୍ଥା ବ୍ୟତୀତ ଆଜିକାଲି ମରୀନ ଇଂଜିନିୟରିଂ ପାଇଁ ବହୁ ଘରୋଇ ସଂସ୍ଥା ମଧ୍ୟ ଏହି କୋର୍ସ ପ୍ରଚଳନ କରିଛନ୍ତି। ଏଥିରେ ଭର୍ତ୍ତି ହେବା ପାଇଁ ଲିଖିତ ପ୍ରବେଶିକା ପରୀକ୍ଷା ବ୍ୟତୀତ ଇଣ୍ଟରଭ୍ୟୁ, ସାଇକୋମେଟ୍ରିକ୍ ଟେଷ୍ଟ ଓ ମେଡିକାଲ ଟେଷ୍ଟ ଦେବାକୁ ପଡିବ।
ମରୀନ ଇଂଜିନିଅର ହେବା ପାଇଁ ଛାତ୍ର ବା ଛାତ୍ରୀଙ୍କୁ ମେସିନାରୀ ସହ ଜଡିତ ସବୁ ଜିନିଷରେ ଜ୍ଞାନ ରହିବା ଜରୁରୀ। ଏଥିପାଇଁ ସମୂଦ୍ରରେ ଯାହାଜ ଭିତରେ ସବୁ ଖରାପ ପରିସ୍ଥିତିରେ ରହିବା ଓ ଅଧିକ ସମୟ ଠିଆ ହୋଇ କାମ କରିବାର ସାହସ ଓ ଦକ୍ଷତା ଥିବା ଜରୁରୀ।
କେବଳ ସେତିକି ନୁହେଁ ପରିବାରଠୁ ଦୂରରେ ରହିବା ମନୋଭାବ ମଧ୍ୟ ଥିବା ଦରକାର। ଏହି ପ୍ରଫେସନର ଭଲ କଥା ଏହା ଯେ, ସମଗ୍ର ବିଶ୍ବରେ ବୁଲିବା ସହ ଭଲ ଦରମା ପ୍ୟାକେଜ ମଧ୍ୟ ମିଳେ।ସାଧାରଣତଃ ମରୀନ ଇଂଜିନିୟର ୬୪୦୦୦ ଟଙ୍କାରୁ ଆରମ୍ଭ କରି ୯୬୦୦୦ଟଙ୍କା ପ୍ରତି ମାସ ଆୟ କରନ୍ତି।