‘କେମିତି କହିବି କହ’: ପ୍ରଥମଥର ସିରିଏଲ୍ରେ ନଜର ଆସିବେ ସିଦ୍ଧାନ୍ତ
19/12/2020 at 12:19 PM

ଭୁବନେଶ୍ବର ୯/୧୨: ପ୍ରଥମଥର ଛୋଟ ପରଦାରେ ନଜର ଆସିବେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର। ଏକ ଘରୋଇ ଟିଭି ଚ୍ୟାନେଲରେ ଅକ୍ଷୟ ପରିଜାଙ୍କ ପ୍ରଡକ୍ସନରେ ଆଧାରିତ ମେଗାଧାରାବାହିକରେ ସିଦ୍ଧାନ୍ତ ନଜର ଆସିବେ। ପ୍ରଥମ ଥର ପାଇଁ ଏକ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ରର ସମସ୍ତ ବୈଶିଷ୍ଟ୍ୟକୁ ନେଇ ଜୀସାର୍ଥକରେ ପ୍ରସାରିତ ହେବାକୁ ଯାଉଛି ନୂଆ ଓଡ଼ିଆ ଧାରାବାହିକ ‘କେମିତି କହିବି କହ’।
ଏହି ମେଗା ଧାରାବାହିକର ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପର୍ଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର । ତାଙ୍କ ନାୟିକା ସାଜୁଛନ୍ତି ଅଭିନେତ୍ରୀ ସୁପ୍ରିୟା । ଛୋଟ ପରଦାର ଦର୍ଶକ ପ୍ରଥମ ଥର ପାଇଁ ସିଦ୍ଧାନ୍ତଙ୍କୁ ଏକ ଧାରାବାହିକରେ ଦେଖିବାକୁ ପାଇବେ। ସିଦ୍ଧାନ୍ତଙ୍କ ଅସଂଖ୍ୟ ପ୍ରଶଂସକ ଏବଂ ଛୋଟପରଦାର ଅଗଣିତ ଦର୍ଶକଙ୍କ ପାଇଁ ଏହା ହେବ ନୂଆ ବର୍ଷର ଭେଟି ।
ଓଡିଆ ସିନେମାର ସୁପରିଚିତ ନିର୍ଦ୍ଦେଶକ ସୁଶାନ୍ତ ମଣି ମେଗା ଧାରାବାହିକ ‘କେମିତି କହିବି କହ’ର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିବା ବେଳେ ଏଥିରେ ସଙ୍ଗୀତ ଦେଇଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ । କ୍ୟାମେରା ପରିଚାଳନା କରିଛନ୍ତି ସୀତାଂଶୁ ମହାପାତ୍ର । ଏହି ଧାରାବାହିକ ନିଶ୍ଚିତ ଭାବେ ଓଡ଼ିଆ ଦର୍ଶକଙ୍କୁ ଏକ ନୂତନ ସ୍ୱାଦ ଦେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । କରୋନା କାଳରେ ଏହି ବିରାଟ ପ୍ରକଳ୍ପର ପରିକଳ୍ପନା କଳାକାର ଓ ଟେକ୍ନିସିଆନଙ୍କ ମନରେ ଆଶା, ବିଶ୍ୱାସ ଓ ଭରସା ଆଣିଦେଇଛି ।