ଦିଲ୍ଲୀରେ କେତେ ମାଙ୍କଡ ? ଡେରାଡୁନ ୱାଇଲ୍ଡଲାଇଫ ଇନଷ୍ଟିଚ୍ୟୁଟ୍ ଦ୍ୱାରା ଗଣନା କରିବେ ନଗରନିଗମ
11/07/2019 at 6:12 PM

ନୂଆଦିଲ୍ଲୀ୧୧।୭: ମଙ୍କଡଙ୍କ ଉପଦ୍ରବରୁ ଲୋକଙ୍କୁ ରକ୍ଷା କରିବା ଲାଗି ଦିଲ୍ଲୀ ମହାନଗର ନିଗମଙ୍କ କୋଟି କୋଟି ଟଙ୍କା ପାଣିରେ ପଡିଛି। ଏଣୁ ଜାତୀୟ ରାଜଧାନୀରେ ମଙ୍କଡଙ୍କ ସଂଖ୍ୟା ନିର୍ଦ୍ଧାରଣ ଲାଗି ପ୍ରଥମ ଥର କର୍ତ୍ତୃପକ୍ଷ ସେମାନଙ୍କ ଗଣନା କରିବୋ ବୋଲି ଜଣାପଡିଛି। ଏଥିପାଇଁ ଡେରାଡୁନ ସ୍ଥିତ ୱାଇଲ୍ଡଲାଇଫ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆଙ୍କ ସହଯୋଗ ଲୋଡିଛନ୍ତି। ମାଙ୍କଡଙ୍କ ସଂଖ୍ୟା ଜଣାପଡିଲେ ସେମାନଙ୍କ ପାଇଁ ମହାନଗର ନିଗମ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବେ।

ରାଜଧାନୀ ଦିଲ୍ଲୀରେ ମାଙ୍କଡଙ୍କ ଉପଦ୍ରବ ବେଳକୁ ବେଳ ବଢିବାରେ ଲାଗିଛି। ଏଣୁ ବନ୍ୟପ୍ରାଣୀ ବିଭାଗ ସହ ମିସି ନଗରନିଗମ ମଙ୍କଡଙ୍କୁ ଧରୁଥିଲେ। ଦୀର୍ଘ ଦିନ ଧରି ଏହି କାମ ଚାଲିଥିଲେ ବି ରାଜଧାନୀରେ ମଙ୍କଡଙ୍କ ସଂଖ୍ୟା ହ୍ରାସ ହେଉ ନାହିଁ। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨୦୦୭ ମସିହାରୁ ରାଜଧାନୀରେ ମଙ୍କଡଧରା ଅଭିଯାନ ଚାଲିଛି। ବିଭିନ୍ନ ସ୍ଥାନରେ ଯନ୍ତା ବସାଯାଇ ମାଙ୍କଡଙ୍କୁ ଧରି ଓସଲାରେ ନିର୍ମିତ ସାଙ୍କଚୁଆରୀରେ ଛଡା ଯାଉଛି। ଏଥିପାଇଁ ଗତ ୧୨ ବର୍ଷରେ ନଗର ନିଗମ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ରାଜଧାନୀରୁ ସେମାନଙ୍କୁ ହଟାଯାଇ ପାରି ନାହିଁ।

ଏଣୁ ଦିଲ୍ଲୀ ସମେତ ୩ଟି ନଗରନିଗମ ଏ ନେଇ ଏକ ଜରୁରୀ ବୈଠକ ଆୟୋଜନ କରିଥିବା ବେଳେ ଏବେ ମାଙ୍କଡଙ୍କ ଲାଗି ନୂଆ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ନିମନ୍ତେ ନିଷ୍ପତ୍ତି ହୋଇଛି। ସେହି ଅନୁସାରେ ପ୍ରଥମେ ରାଜଧାନୀରେ ସେମାନଙ୍କ ସଂଖ୍ୟା ନିର୍ଦ୍ଧାରଣ କରାଯିବ ଓ ସେହିଅନୁସାରେ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି।