କଙ୍ଗାରୁ ହାତରୁ ହାରିବା ସହ ନିଜ ନାଁରେ ଅଲୋଡା ରେକର୍ଡ କଲା ଭାରତ, ୯୭୮ ମ୍ୟାଚ୍‌ର ଇତିହାସରେ ପ୍ରଥମ ଥର ଘଟିଲା ଏମିତି

Published By : Prameya-News7 Bureau | November 29, 2020 IST

ସିଡନୀ ୨୯।୧୧: ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ(ଏସସିଜି)ରେ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ଦ୍ଵିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ନିଜ ନାଁରେ ଏକ ଅଲୋଡା ରେକର୍ଡ କରିଛି, ଯାହା ନିଜର ୯୭୮ ମ୍ୟାଚ୍‌ର ଇତିହାସରେ ପୂର୍ବରୁ କେବେ ଏମିତି ଘଟିନଥିଲା। ଭାରତ ବିରୋଧରେ ଏତେ ବର୍ଷର ଦିନିକିଆ ମ୍ୟାଚ୍‌ରେ ବିପକ୍ଷ ଦଳ ପ୍ରଥମ ଓ୍ଵିକେଟ୍‌ ପାଇଁ ଲଗାତାର ତିନି ମ୍ୟାଚ୍‌ରେ ଶତକୀୟ ଭାଗିଦାରୀ କରିଛନ୍ତି।

ଡେଭିଡ୍ ଓ୍ଵାର୍ଣ୍ଣର ଓ ଆରୋନ ଫିଞ୍ଚଙ୍କ ଓପନିଂ ଯୋଡି ଦ୍ଵିତୀୟ ଦିନିକିଆରେ ପ୍ରଥମ ଓ୍ଵିକେଟ୍ ପାଇଁ ୧୪୨ ରନ ଯୋଡିଥିଲେ। ଏହା ଏହି ଓପନିଂ ଯୋଡିଙ୍କ ଭାରତ ବିପକ୍ଷରେ କ୍ରମାଗତ ଦ୍ଵିତୀୟ ଶତକୀୟ ଭାଗିଦାରୀ। ଏହି ପଡିଆରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଦୁଇ ବ୍ୟାଟସମ୍ୟାନ ୧୫୬ ରନ ଯୋଡିଥିଲେ। ଦିନିକିଆରେ ଭାରତ ବିରୁଦ୍ଧରେ ବିପକ୍ଷ ଦଳର ଓପନିଂ ଯୋଡି କ୍ରମାଗତ ତିନି ଥର ଶତକୀୟ ଭାଗିଦାରୀ କରିଛନ୍ତି, ଯାହା ଦଳ ପାଇଁ ଏଲ ଅଲୋଡା ରେକର୍ଡ।

୯୭୮ ଦିନିକିଆ ମ୍ୟାଚ୍‌ର ଇତିହାସରେ ପ୍ରଥମ ଥର ଏମିତି ଘଟିଛି। ଅଷ୍ଟ୍ରେଲିଆ ବିପକ୍ଷ ଏହି ଦୁଇଟି ମୁକାବିଲା ପୂର୍ବରୁ ମାଉଣ୍ଟ ମାଙ୍ଗାନୁଇରେ ନ୍ୟୁଜିଲାଣ୍ଡର ଓପନର ମାର୍ଟିନ ଗୁପଟିଲ ଓ ମାଟ୍ ହେନେରୀ ପ୍ରଥମ ଓ୍ଵିକେଟ୍ ପାଇଁ ୧୦୬ ରନ ଯୋଡିଥିଲେ। ଏହି ମ୍ୟାଚ୍‌ କୋଭିଡ୍-୧୯ ପୂର୍ବରୁ  ଭାରତୀୟ କ୍ରିକେଟ୍‌ ଦଳର ନ୍ୟୁଜିଲାଣ୍ଡ ଗସ୍ତରେ ଖେଳାଯାଇଥିଲା।

ପ୍ରଥମ ମ୍ୟାଚ୍‌ ପରି ଆଜିର ମୁକାବିଲାରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ସାମ୍ନାରେ ଭାରତୀୟ  ବୋଲର ଅସହାୟ ନଜର ଆସିଥିଲେ। ଡେଭିଡ୍ ଓ୍ଵାର୍ଣ୍ଣର ୭୭ ବଲରୁ ୮୩ ରନ କରିଥିଲେ। ତାଙ୍କର ଏହି ଇନିଂସରେ ୭ ଚୌକା ଓ ୩ ଛକା ସାମିଲ। ଅଧିନାୟକ ଆରୋନ ଫିଞ୍ଚ ୬୯ ବଲରୁ ୬ ଚୌକା ଓ ୧ ଛକା ସହ ୬୦ ରନ କରିଥିଲେ।

ଏହି ଭାଗିଦାରୀ ଫଳରେ ଅଷ୍ଟ୍ରେଲିଆ ୩୮୯ ରନର ବିଶାଳ ସ୍କୋର କରିବାରେ ସଫଳ ହୋଇଥିଲା। ଏହା ପରେ ଷ୍ଟିଭ୍ ସ୍ମିଥ୍‌ ଦଳ ପାଇଁ କ୍ରମାଗତ ଦ୍ଵିତୀୟ ଶତକ ହାସଲ କରିଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ ମଧ୍ୟ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.