ଇତିହାସରେ ପ୍ରଥମ ଥର ଶ୍ରୀମନ୍ଦିର ଭିତର ବେଢ଼ାରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଏବଂ ରଥ ନିର୍ମାଣର ଅନୁକୂଳ

Published By : Prameya-News7 Bureau | April 26, 2020 IST

ପୁରୀ୨୬/୪: ଇତିହାସରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଭିତର ବେଢ଼ାରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣର ଅନୁକୂଳ। କରୋନା କଟକଣା ପାଇଁ ଜଳ କ୍ରୀଡ଼ା ମଣ୍ଡପ ନିକଟରେ ୩ଟି ସ୍ନାନ କୁଣ୍ଡ ଅସ୍ଥାୟୀ ଭାବେ ନିର୍ମାଣ କରି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ବିଧି କରାଯାଇଛି। ଏପଟେ ସ୍ନାନ ବେଦୀ ଓ ଚାହାଣୀ ମଣ୍ଡପ ମଧ୍ୟ ଭାଗରେ ନିର୍ମିତ ଅସ୍ଥାୟୀ ରଥଖଳାରେ ରଥ ନିର୍ମାଣର ଶୁଭ ଅନୁକୂଳ କରିଛନ୍ତି ବିଶ୍ବକର୍ମା ମହାରଣା । ମହାପ୍ରଭୁଙ୍କ ନିକଟରୁ ପୂଜାପଣ୍ଡା ଆଜ୍ଞାମାଳ ଆଣିବା ପରେ ବ୍ରାହ୍ମଣ, ପୁରୋହିତ, ରାଜଗୁରୁଙ୍କ ଉପସ୍ଥିତିରେ ରଥ ନିର୍ମାଣର ଅନୁକୂଳ କରାଯାଇଛି।

କରୋନା କଟକଣା ଓ ଦେଶବ୍ୟାପୀ ଲକଡ଼ାଉନ୍ ଯୋଗୁଁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥନିର୍ମାଣ ଅନୁକୂଳ ନୀତିରେ ହୋଇଛି ବଡ଼ ପରିବର୍ତ୍ତନ। ଇତିହାସରେ ପ୍ରଥମ ଥର ପାଇଁ ବାହାର ଚନ୍ଦନ ଯାତ୍ରା ବନ୍ଦ କରାଯାଇ କେବଳ ବିଧି ରକ୍ଷା କରିବାକୁ ଶ୍ରୀମନ୍ଦିର ପରିସରରେ ହୋଇଛି ଯାତ୍ରାର ନୀତି। ଶ୍ରୀମନ୍ଦିର ପରିସରରେ ଥିବା ନୃସିଂହ ମନ୍ଦିର ନିକଟସ୍ଥ ଜଳକ୍ରୀଡ଼ା ମଣ୍ଡପରେ ହୋଇଛି ଚନ୍ଦନ ଓ ଚାପ ଖେଳ ନୀତି। ୩ଟି ଅସ୍ଥାୟୀ ସ୍ନାନ କୁଣ୍ଡ ନିର୍ମାଣ କରାଯାଇ ମହାପ୍ରଭୁଙ୍କ ୨୧ ଦିନିଆ ଚନ୍ଦନ ଯାତ୍ରା ଆରମ୍ଭ କରାଯାଇଛି। ଶ୍ରୀମନ୍ଦିର ଦକ୍ଷିଣ ଘରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଭୂଦେବୀ, ଶ୍ରୀଦେବୀଙ୍କୁ ମଣିବିମାନ ଓ ପାଲିଙ୍କିରେ ଅଣାଯାଇଥିବା ବେଳେ ପଞ୍ଚ ମହାଦେବଙ୍କୁ ବିମାନରେ ଅଣାଯାଇ ଚନ୍ଦନ ଲାଗି ଓ ଚାପଖେଳ ନୀତି ସଂପନ୍ନ ହୋଇଛି।    

ସେହିପରି ଶ୍ରୀମନ୍ଦିର ମେଘନାଦ ପାଚେରୀ କଡ଼ରେ ଥିବା ସ୍ନାନବେଦୀ ପାଖ ଦକ୍ଷିଣ ପାର୍ଶ୍ବରେ ଅସ୍ଥାୟୀ ରଥଖଳାରେ ସଂପନ୍ନ ହୋଇଛି ରଥ ନିର୍ମାଣର ଶୁଭ ଅନୁକୂଳ। ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କଠାରୁ ପୂଜାପଣ୍ଡା ଆଜ୍ଞାମାଳ ଆଣିବା ପରେ ୩ ରଥ ପାଇଁ ଥିବା ୩ଟି କାଠରେ ରଥ ନିର୍ମାଣର ଅନୁକୂଳ କରିଥିଲେ ବିଶ୍ବକର୍ମା ମହାରଣା। ପୁରୋହିତ ମାନେ ବନଯାଗ ଯଜ୍ଞ ବିଧିରେ ରଥଖଳାକୁ ମାର୍ଜନା କରିବା ପରେ ଶ୍ରୋସ୍ତ୍ର୍ରୀୟ ବ୍ରାହ୍ମଣ ଓ ରାଜଗୁରୁ ମନ୍ତ୍ର ଉଚ୍ଚାରଣ କରି ରଥ କାଠର ସଂସ୍କାର କରିଥିଲେ । ପରେ ୩ ରଥର ୩ ଜଣ ବିଶ୍ବକର୍ମା ମହାରଣାମାନେ କୁରାଢ଼ୀରେ ରଥ ନିର୍ମାଣର ଶୁଭ ଅନୁକୂଳ କରିଥିଲେ।  ଚଳିତ ବର୍ଷ କେବଳ ବିଧି ରକ୍ଷା ପାଇଁ ଶ୍ରୀମନ୍ଦିର ଭିତରେ ଚନ୍ଦନ ଯାତ୍ରା ଓ ଅକ୍ଷୟତୃତୀୟା ନୀତି ସଂପନ୍ନ ହୋଇଛି । ତେବେ ଏଥର ଭକ୍ତ ମହାପ୍ରଭୁଙ୍କର ଏହି ଦୁର୍ଲଭ ନୀତି ଦେଖିବାକୁ ବଂଚିତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.