କଟକ୨୯/୭: ଏବେ କରୋନା ରୋଗୀଙ୍କର ଆରୋଗ୍ୟ ଲାଭ ପାଇଁ ପ୍ଲାଜମା ବରଦାନ ସ୍ୱରୂପ ହୋଇଛି । ରାଜ୍ୟରେ ଆଗ୍ନିକମାନେ ପ୍ଲାଜମା ଦାନ କରିଥିବା ବେଳେ ପ୍ରଥମ ମହିଳା ଭାବେ ଜଣେ ଡାକ୍ତରୀ ଛାତ୍ରୀ ପ୍ଲାଜମା ଦାନ କରିଛନ୍ତି। ଏସ୍ସିବି ମେଡିକାଲ୍ କଲେଡ୍ର ଶେଷ ବର୍ଷର ଛାତ୍ରୀ ତାନଭି ଶର୍ମା କୋରନାରୁ ମୁକ୍ତ ହେଲା ପରେ ପ୍ଲାଜମା ଦାନ କରିଛନ୍ତି ।
କୋଭିଡ୍-୧୯ ବିରୋଧୀ ଲଢ଼େଇରେ ଆଉ ଏକପାଦ ଆଗକୁ ଯାଇ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି। ଗୁରୁତର ଅବସ୍ଥାରେ ଥିବା କରୋନା ରୋଗୀଙ୍କ ଚିକିତ୍ସାରେ ଏହା ବେଶ୍ ଉପାଦେୟ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ କଟକ ଏସ୍ସିବି ମେଡିକାଲ କଲେଜରେ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ କରିଛନ୍ତି। ଦେଶରେ ଅନେକ ସ୍ଥାନରେ ଏବେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରାଯାଇଛି। ତେବେ ଏହି ଥେରାପିକୁ କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ବ୍ୟବହାର କରାଯାଉଥିବା ବେଳେ ଆଜି ଆମେ ଆପଣଙ୍କୁ ପ୍ଲାଜମା ଥେରାପି କ’ଣ ଏବଂ କେଉଁ ଲୋକମାନେ ନିଜର ପ୍ଲାଜମା ଦାନ କରି ପାରିବେ ଏବଂ କେଉଁମାନେ କରିପାରିବେ ନାହିଁ ସେ ବିଷୟରେ ଆସନ୍ତୁ ଜାଣିବା…
୧. ପ୍ଲାଜମା ହେଉଛି ରକ୍ତର ଲିକ୍ୟୁଇଡ କମ୍ପୋନେଣ୍ଟ । କରୋନା ରୋଗୀ ସୁସ୍ଥ ହେବା ପରେ ସେମାନଙ୍କ ରକ୍ତର ପ୍ଲାଜମାରେ ଆଣ୍ଟିବଡ଼ି ତିଆରି ହୋଇଥାଏ । ଏହି ପ୍ଲାଜମାକୁ ଆଣି କରୋନା ଆକ୍ରାନ୍ତକୁ ଦିଆଗଲେ ଆଣ୍ଟିବଡ଼ି ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସାରେ ସହାୟକ ହେବ ।
୨. ପ୍ଲାଜମା ଥେରାପି ଏବେ ନୁହେଁ । ୧୮୯୨ରୁ ଏହି ପ୍ରକ୍ରିୟାରେ ଚିକିତ୍ସା କରାଯାଉଛି । ଡିଫେରିଆ ନାମକ ରୋଗର ଚିକିତ୍ସା ପାଇଁ ପ୍ରଥମେ ପ୍ଲାଜମା ଥେରାପି ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଇବୋଲା, ସ୍ୱାଇନ୍ ଫ୍ଲୁ, ସାର୍ସ ଭଳି ରୋଗର ଚିକିତ୍ସା ପାଇଁ ମଧ୍ୟ ପ୍ଲାଜମା ଥେରାପି ଦିଆଯାଇଛି ।
୩. ଆକ୍ରାନ୍ତ ସୁସ୍ଥ ହେବାର ୧୪ ଦିନ ପରେ ଯାଇ ପ୍ଲାଜମା ଦାନ କରିପାରିବେ । ୧୮ ରୁ ୬୦ ବର୍ଷ ବୟସର ଲୋକଙ୍କଠାରୁ ପ୍ଲାଜମା ନିଆଯାଇପାରିବ । ବ୍ୟକ୍ତିର ଓଜନ ୫୦ କିଲୋରୁ କମ୍ ହୋଇନଥିବ । ପ୍ଲାଜମା ଦେବା ପୂର୍ବରୁ ସେ ସୁସ୍ଥ ଅଛନ୍ତି ନା ନାହିଁ, ଏହାକୁ ଦେଖିବାକୁ ହେବ ।
୪. ପ୍ଲାଜମାଦାତାଙ୍କଠାରୁ ମେସିନ୍ରେ ରକ୍ତ ନିଆଯିବ । ତେବେ କେବଳ ପ୍ଲାଜମାକୁ ଗ୍ରହଣ କରିବା ପରେ ରକ୍ତ ପୁଣିଥରେ ବ୍ୟକ୍ତି ଦେହକୁ ଫେରି ଯିବ । ତିନି ମାସ ବ୍ୟବଧାନରେ ରକ୍ତଦାନ କରିବାକୁ ଥିବା ବେଳେ ପ୍ଲାଜମା କିନ୍ତୁ ଜଣେ ସପ୍ତାହକୁ ଦୁଇଥର ଦାନ କରିପାରିବେ । ତେବେ ପ୍ଲାଜମା ଦାନ ପୂର୍ବରୁ ଏଚ୍ଆଇଭି, ହେପାଟାଇଟିସ୍ ବି ଓ ସି ର ପରୀକ୍ଷା କରାଯିବ । ପ୍ଲାଜମାକୁ ଅଧିକ ଦିନ ଯାଏ ଷ୍ଟୋର୍ କରି ମଧ୍ୟ ରଖିହେବ । ଜଣେ ଡୋନରଙ୍କଠାରୁ ନିଆଯାଇଥିବା ପ୍ଲାଜମାକୁ ୨ ଜଣଙ୍କୁ ଦିଆଯାଇପାରିବ।