ପ୍ରଥମ ବ୍ୟାଚ୍ରେ ଦିଲ୍ଲୀ, ମହାରାଷ୍ଟ୍ର ସମେତ ୫ ରାଜ୍ୟ ପାଇବେ କୋଭିଡ-୧୯ ଔଷଧ, ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶାକୁ ଔଷଧ ଆସିବ
25/06/2020 at 8:02 PM

ହାଇଦ୍ରାବାଦ, ୨୫|୦୬: ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମାମଲା ମଧ୍ୟରେ ଏକ ଭଲ ଖବର ସାମ୍ନାକୁ ଆସିଛି । କରୋନା ଭାଇରସର ଔଷଧକୁ ପାଞ୍ଚୋଟି ରାଜ୍ୟକୁ ପଠାଇ ଦିଆଯାଇଛି । ହାଇଦ୍ରାବାଦର କମ୍ପାନୀ ହେଟରୋ ରେମଡେସିଭିରର ଜେନେରିକ୍ ଭର୍ସନ୍ କୋଭିଫୋର୍ ନାମରେ ପ୍ରସ୍ତୁତ କରିଛି । କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ଔଷଧ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ ଓ ତମିଲନାଡୁକୁ ପଠାଇଛି । ଏହି ରାଜ୍ୟ ସବୁଠାରୁ ଅଧିକ କରୋନା ପ୍ରଭାବିତ । ସେହିପରି ଏହି ଔଷଧ ପ୍ରସ୍ତୁତ କରିଥିବାରୁ ହାଇଦ୍ରାବାଦ କମ୍ପାନୀ ତେଲେଙ୍ଗାନାକୁ ମଧ୍ୟ ପଠାଇଛି ।
ହେଟରୋର କହିବାନୁସାରେ, କୋଭିଫୋରର ୧୦୦ ମିଲିଗ୍ରାମର ଇଞ୍ଜେକ୍ସନ ୫୪୦୦ ଟଙ୍କାରେ ମିଳିବ । କମ୍ପାନୀ ଆସନ୍ତା ୩ରୁ ୪ ସପ୍ତାହରେ ଏକ ଲକ୍ଷ ଇଞ୍ଜେକ୍ସନ ପ୍ରସ୍ତୁତ କରିବ ।
ଏବେ ଏହି ଇଞ୍ଜେକ୍ସନ ହାଇଦ୍ରାବଦର ପର୍ମ୍ୟୁଲେସନ୍ ଫାସିଲିଟିରେ ତିଆରି ହେଉଛି । ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁ ଭୋପାଳ, ଇନ୍ଦୋର, କୋଲକାତା, ପାଟନା, ଲକ୍ଷ୍ନୌ, ରାଞ୍ଚୀ, ଭୁବନେଶ୍ୱର, କୋଚି, ବିଜୟଓ୍ୱାଡା, ଗୋଆ ଓ ତ୍ରିବେନ୍ଦ୍ରମକୁ ପଠାଯିବ । ଏବେ ଏହି ଔଷଧ କେବଳ ସରକାର ଓ ହସ୍ପିଟାଲ ଜରିଆରେ ମିଳୁଛି ।
ଔଷଧ କମ୍ପାନୀ ସିପ୍ଲା ରେମଡେସିଭିର ପ୍ରସ୍ତୁତ କରୁଥିବା ଆମେରିକୀୟ କମ୍ପାନୀ ଗିଲେଡ୍ ସାଇନ୍ସ ସହ ଏଗ୍ରିମେଣ୍ଟ ସ୍ୱାକ୍ଷର କରିଛି । ଏହି ଔଷଧ ୫୦୦୦ରୁ କମ୍ ଟଙ୍କାରେ ମିଳିବ । ଭାରତରେ ଏଲୋପାଥି ଔଷଧର ରେଗ୍ୟୁଲେଟର୍, ଡ୍ରଗ୍ କଣ୍ଡ୍ରୋଲର୍ ଜେନେରାଲ ଅଫ୍ ଇଣ୍ଡିଆ ସିପ୍ଲା ଓ ହେଟରୋକୁ ଔଷଧ ବିକ୍ରୟ ଓ ପ୍ରସ୍ତୁତ ପାଇଁ ଅନୁମତି ଦେଇଛି ।
ଡିଜିସିଆଇ ଏହା ପୂର୍ବରୁ ଆଣ୍ଟି ଭାଇରାଲ ମେଡିସିନ୍ ଫାଭିପିରାଭିରର ଜେନେରିକ୍ ଭର୍ସନ ପ୍ରସ୍ତୁତ କରିବା ପାଇଁ ଗ୍ଲେନମାର୍କ ଫାର୍ମାସିଟିକାଲକୁ ଅନୁମତି ଦେଇଥିଲା । କମ୍ପାନୀ ଫାଭିଫ୍ଲୁ ନାମରେ ଏହାକୁ ପ୍ରସ୍ତୁତ କରିଥିଲା । ଏହାର ଦାମ୍ ୩୪ଟି ଟାବଲେଟକୁ ୩୫୦୦ ଟଙ୍କା । ଅର୍ଥାତ ଗୋଟିଏ ଟାବଲେଟ୍ ପାଇଁ ଆପଣଙ୍କୁ ୧୦୩ ଟଙ୍କା ଦେବାକୁ ପଡିବ ।