କରୋନାର ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟ୍ ନେଲା ପ୍ରଥମ ମୁଣ୍ଡ, ସଂକ୍ରମିତ ହେବା ପରେ ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | June 24, 2021 IST

ଭୋପାଳ, ୨୪|୦୬: ମଧ୍ୟପ୍ରଦେଶରେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ଦ୍ୱାରା ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ରାଜ୍ୟର ଉଜ୍ଜୟନୀ ସହରରେ ଜଣେ ମହିଳା କରୋନାରେ ପ୍ରାଣ ହରାଇଛନ୍ତି । ତାଙ୍କର ନମୁନା ଜିନୋମ୍ ସିକ୍ୱେନ୍ସ ପାଇଁ ଦିଲ୍ଲୀ ପଠାଯାଇଥିଲା । ଯେଉଁଥିରେ ଡେଲଟା ପ୍ଲସ୍ ଭାରିଆଣ୍ଟ ତିହ୍ନଟ ହୋଇଥିଲା ।

ମଧ୍ୟପ୍ରଦେଶରେ ଡେଲଟା ପ୍ଲସ୍ ଭାରିଆଣ୍ଟର ଏବେସୁଦ୍ଧା ୫ଟି ନୂଆ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ତିନୋଟି ମାମଲା ଭୋପାଳର ହୋଇଥିବା ବେଳେ ୨ଟି ଉଜ୍ଜୟନୀର ଅଟେ । ଏହାମଧ୍ୟରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।

ଏହି ଘଟଣାକୁ ନେଇ ଉଜ୍ଜୟନୀର କରୋନା ନୋଡାଲ ଅଫିସର ଡାକ୍ତର ରୌନକ କହିଛନ୍ତି ଯେ, ୫ଟି ନମୁନାରେ ଡେଲଟା ପ୍ଲସ୍ ଭାଇରସ ଠାବ ହୋଇଥିଲା । ଏନେଇ ଅଧିକ ଗବେଷଣା ହେବା ପରେ ନୂଆ ଭାରିଆଣ୍ଟରେ ସଂକ୍ରମିତ ମହିଳା ମେ ୨୩ରେ ହିଁ ପ୍ରାଣ ହରାଇବା ଜଣା ପଡିଥିଲା । ତାଙ୍କ ଘରେ ପ୍ରଥମେ ପତି ସଂକ୍ରମିତ ହୋଇଥିଲେ । ଏହାପରେ ମହିଳାଜଣଙ୍କ ସଂକ୍ରମିତ ହୋଇଥିଲେ । ୨ ଜଣଙ୍କ ମଧ୍ୟରୁ କେବଳ ପତି ହିଁ କରୋନା ଭାକସିନ୍ ଲଗାଇଥିଲେ ।

ରାଜ୍ୟର ମେଡିକାଲ ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ କହିଛନ୍ତି ଯେ, ସରକାର ମାମଲା ଉପରେ ନଜର ରଖିଛନ୍ତି । ଯେଉଁମାନଙ୍କର ଡେଲଟା ପ୍ଲସ୍ ଭାରିଆଣ୍ଟ୍ ଠାବ ହେଉଛି ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂକୁ ଜୋରଦାର୍ କରାଯାଉଛି । ପ୍ରାୟ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । ଏହାସତ୍ତ୍ୱେ ସରକାର ସମସ୍ତ ହସ୍ପିଟାଲକୁ ଆଲର୍ଟ ରହିବାକୁ କୁହାଯାଇଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.