କେନ୍ଦ୍ର କ୍ୟାବିନେଟ ପ୍ରଥମ ବୈଠକ ଶେଷ, ଜମ୍ମୁ-କାଶ୍ମୀରରେ ବଢିଲା ରାଷ୍ଟ୍ରପତି ଶାସନ ଅବଧି

Published By : Prameya-News7 Bureau | June 12, 2019 IST

ନୂଆଦିଲ୍ଲୀ ୧୨।୬:  ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟପାଳି ସରକାରର ପ୍ରଥମ ମନ୍ତ୍ରୀମଣ୍ଡଳ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ତାଙ୍କ ସରକାରଙ୍କ ରୋଡ ମ୍ୟାପକୁ ଦୃଷ୍ଟିରେ ରଖି  ସ୍ୱଳ୍ପ ଓ ଦୀର୍ଘକାଳୀନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏଥିରେ ମୁସଲମାନ ମହିଳାଙ୍କ ୩ ତଲାକ ବିଧେୟକକୁ ପୁଣି ସଂସଦରେ ଉପସ୍ଥାପନ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନକୁ ଆହୁରି ୬ ମାସ ବୃଦ୍ଧି ପ୍ରସ୍ତାବକୁ ମଧ୍ୟ ସ୍ବୀକୃତି ମିଳିଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।  

ସେହିପରି ବୈଠକରେ ଜମ୍ମୁ-କାଶ୍ମୀର ରିଜର୍ଭେସନ ବିଧେୟକ ୨୦୧୯କୁ ମଧ୍ୟ କ୍ୟାବିନେଟର ମଞ୍ଜୁରି ମିଳିଛି। ଏଥିରେ ୧୯୫୪ ସଂରକ୍ଷଣ ନୀତିରେ ସଂଶୋଧନ କରାଯାଇଥିବା ଜଣାପଡିଛି। ଏହି ବିଧେୟ ଗୃହୀତ ହେଲେ ଜମ୍ମୁ-କାଶ୍ମୀର ବର୍ଡର ଅଞ୍ଚଳର ଅଧିବାସୀଙ୍କୁ ସଂରକ୍ଷଣ ଳାଭ ମିଳିପାରିବ। ଅନ୍ତର୍ଜାତୀୟ ବର୍ଡରରେ ବସବାସ କରୁଥିବା ଲୋକଙ୍କ ପିଲା ଏଣିକି ଚାକିରୀରେ ସିଧା ନିଯୁକ୍ତି ନିମନ୍ତେ ସଂରକ୍ଷଣ ସୁବିଧା ପାଇବା ସହ ବିଭିନ୍ନ ବୃତ୍ତିଗତ ଶିକ୍ଷାରେ ପ୍ରବେଶ ନିମନ୍ତେ ମଧ୍ୟ ସଂରକ୍ଷଣର ଲାଭ ପାଇବେ।

ସେହିପରି କେନ୍ଦ୍ରୀୟ କ୍ୟାବିନେଟ ରିଜର୍ଭେସନ ଇନ ଟିଚର୍ସ କ୍ୟାଡର ବିଲ ୨୦୧୯କୁ ମଧ୍ୟ ସ୍ବୀକୃତି ଦେଇଛି। ଏହା ଦ୍ବାରା ଖାଲିପଡିଥିବା ୭ ହଜାର ଶିକ୍ଷକ ପଦବୀ ନିମନ୍ତେ ସିଧାଶଳଖ ନିଯୁକ୍ତି ହେବ। ଏହା ଛଡା ଗତ ସରକାରରେ ପ୍ରସ୍ତାବିତ କିଛି ବିଧେୟକକୁ ମଧ୍ୟ ଅନୁମୋଦନ ଦେଇଛି। ସେହିପରି ଜୁଲାଇ ୫ ତାରିଖରେ ସଂସଦରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ ବଜେଟର ପ୍ରସ୍ତୁତି ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। କେନ୍ଦ୍ରମନ୍ତ୍ରୀମାନେ ସମ୍ବଦ୍ଧି ମନ୍ତ୍ରାଳୟ ଦାୟିତ୍ବ ଗ୍ରହଣ କରିସାରିଛନ୍ତି, ହେଲେ ଏପର୍ଯ୍ୟନ୍ତ ସେମାନଙ୍କର ବିଭାଗ ବଣ୍ଟନ ହୋଇ ନାହିଁ । ଏଣୁ ବୈଠରେ ମନ୍ତ୍ରୀମାନଙ୍କର କାମ ନେଇ ମଧ୍ୟ ଆଲୋଚନା ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.