ଭୁବନେଶ୍ୱର ୦୭/୦୧ : ପାଞ୍ଜି ଓ ଜ୍ୟୋତିଷ ଗଣନା ଅନୁଯାୟୀ ବର୍ଷ ୨୦୨୧ରେ ମୋଟ ଦୁଇଟି ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି। ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମେ' ୨୬ ତାରିଖରେ ଲାଗିବାକୁ ଯାଉଛି।
ତେବେ ଭାରତରେ ଚନ୍ଦ୍ରଗ୍ରହଣର କଣ ପ୍ରଭାବ ପଡିବ ତାହା ଜାଣିବାକୁ ସମସ୍ତଙ୍କର ତୀବ୍ର ଇଛା। ଜ୍ୟୋତିଷ ଗଣନା ଅନୁସାରେ ଚଳିତ ବର୍ଷ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପଡୁଛି। କିନ୍ତୁ ଭାରତରେ ଏହାକୁ ଉପଛାୟା ଗ୍ରହଣ ଭାବେ ଗ୍ରହଣ କରାଯିବ। ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ କିନ୍ତୁ ଏହି ଚନ୍ଦ୍ରଗ୍ରହଣ ଦେଶର ପ୍ରତ୍ୟେକ ସ୍ଥାନରେ ଦୃଶ୍ୟମାନ ହେବନାହିଁ। ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ନଭେମ୍ବର ୧୯ ତାରିଖରେ ଲାଗିବ।
ଚନ୍ଦ୍ରଗ୍ରହଣ ସମୟରେ ସୂତକ କାଳର ବିଶେଷ ମହତ୍ତ୍ୱ ରହିଛି। ସୂତକ କାଳରେ କୌଣସି ପ୍ରକାର ପୂଜାପାଠ, ମାଙ୍ଗଳିକ କାର୍ଯ୍ୟ ବା ଶୁଭ କାର୍ଯ୍ୟ କରାଯାଇନାହିଁ। ସୂତକ କାଳରେ କିଛି ବିଶେଷ ନିୟମ ପାଳନ କରିବାର ପରମ୍ପରା ରହିଛି। ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣରେ ସୂତକ କାଳ ମାନ୍ୟ ହେବନାହିଁ। କାରଣ ଏହା ବର୍ଷର ପ୍ରଥମ ଉପାଛାୟା ଚନ୍ଦ୍ରଗ୍ରହଣ। ଗ୍ରହଣ ଉପାଛାୟା ହୋଇଥିଲେ ସୂତକ କାଳ ମାନ୍ୟ ନୁହେଁ।
ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଉପାଛାୟା ହୋଇଥିଲେ ବି ଗର୍ଭବତୀ ମହିଳା ଓ ଛୋଟ ଶିଶୁଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଥାଏ। ଗ୍ରହଣ ସମୟରେ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଥାଏ। ଏହି ସମୟରେ ଭୋଜନ କରିବା ଅନୁଚିତ। ଚନ୍ଦ୍ରଗ୍ରହଣ ଲାଗିବା ସମୟରେ ଚନ୍ଦ୍ରମାରେ ନକାରାତ୍ମକ ଉର୍ଜା ଉତ୍ପନ୍ନ ହୋଇଥାଏ। ସେଥିପାଇଁ ଗ୍ରହଣ ସମୟରେ ଚନ୍ଦ୍ରମାଙ୍କ ସମ୍ପର୍କରେ ଆସିଲେ ଏହାର ନକାରାତ୍ମକ ପ୍ରଭାବ ପଡିଥାଏ ବୋଲି କୁହାଯାଇଥାଏ।
ଚନ୍ଦ୍ରଗ୍ରହଣ ଶେଷ ହେବାପରେ ସ୍ନାନ ଅବଶ୍ୟ କରିବା ଉଚିତ। ସ୍ନାନ କରି ପୂଜା ସ୍ଥଳକୁ ଗଙ୍ଗା ଜଳ ଛିଞ୍ଚି ପବିତ୍ର କରିବା ଉଚିତ। ଏହାପରେ ପୂଜାପାଠ କରିବା ଉଚିତ। ଗ୍ରହଣ ସମାପ୍ତ ପରେ ଘରେ ଗଙ୍ଗା ଜଳ ଛିଞ୍ଚି ଶୁଦ୍ଧ କରିବା ଉଚିତ।