ହୀରାକୁଦ ଜଳଭଣ୍ଡାରରୁ ଛଡାଗଲା ପ୍ରଥମ ବନ୍ୟାଜଳ, ପୂଜାର୍ଚ୍ଚନା ପରେ ଖୋଲିଲା ୭ ନମ୍ବର ସ୍ଲୁଇସ୍ ଗେଟ୍
14/08/2019 at 11:30 AM

ସମ୍ବଲପୁର ୧୪|୮: ଖୋଲିଲା ହୀରାକୁଦ ଗେଟ୍ । ହୀରାକୁଦ ଛାଡିଛି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ପୂଜାର୍ଚ୍ଚନା ପରେ ଆଜି ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ସେଥିପାଇଁ ମହାନଦୀରେ ବନ୍ୟା ଆସିବାର ଆଶଙ୍କା ରହିଛି । ଏଥିପାଇଁ ୬ ଟି ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଅବବାହିକା ଅଞ୍ଚଳରେ ବନ୍ୟା ଆସିବାର ଆଶଙ୍କା ଦେଖାଦେଇଛି । ତେଲ ନଦୀରୁ ଆସୁଥିବା ବନ୍ୟା ଜଳ ଯୋଗୁଁ ମହାନଦୀ ଏବଂ ଏହାର ଶାଖା ନଦୀ ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

ହୀରାକୁଦ ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳଏ ଆଜି ହୀରାକୁଦର ଜଳସ୍ତର ୬୧୮.୨୧ ଫୁଟ ରହିଛି । ଏହାକୁ ନଜରରେ ରଖି ଆଜି ଡ୍ୟାମରୁ ପ୍ରଥମ ବନ୍ୟା ଜଳ ଛଡାଯାଇଛି । ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡିକର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକମାନଙ୍କୁ ବନ୍ୟା ସ୍ଥିତି ମୁକାବିଲା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି । ମହାନଦୀ ତଳମୁଣ୍ଡରେ ଯେପରି ବନ୍ୟା ପରିସ୍ଥିତି ସୃଷ୍ଟି ନହେବ ସେଥିପ୍ରତି ମଧ୍ୟ ଦୃଷ୍ଟି ରଖାଯାଇଛି ।