ଡିସେମ୍ବର ୨୮ରେ ଦେଶରେ ଗଡିବ ପ୍ରଥମ ଚାଳକ ରହିତ ଟ୍ରେନ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | December 24, 2020 IST

ନୂଆଦିଲ୍ଲୀ ୨୪।୧୨: ରାଜଧାନୀ ଦିଲ୍ଲୀରେ ମେଟ୍ରୋ ଟ୍ରେନ ଏବେ ସୁପର ଟ୍ରେନରେ ପରିଣତ ହେବାକୁ ଯାଉଛି। ଅର୍ଥାତ ଜାତୀୟ ରାଜଧାନୀରେ ଯାତ୍ରୀ ସେବା ଯୋଗାଇ ଦେଉଥିବା ମେଟ୍ରୋ ଟ୍ରେନଗୁଡିକ ଏବେ ବିନା ଚାଳକରେ ଚଳାଚଳ କରିବାରେ ଲାଗିବେ। ଡିସେମ୍ବର ୨୮ ତାରିଖ ଦିନ ମଜେଣ୍ଟା ଲାଇନ୍‌(ଜନକପୁରୀ ୱେଷ୍ଟ-ବଟାନିକାଲ ଗାର୍ଡନ)ରେ ଦେଶର ପ୍ରଥମ ଚାଳକ ରହିତ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବାକୁ ଯାଉଛି। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ।

ଏହି ରୁଟରେ ଚାଳକ ରହିତ ଟ୍ରେନର ସଫଳତାକୁ ଦେଖି ରାଜଧାନୀର ଅନ୍ୟ ମେଟ୍ରୋ ରୁଟରେ ମଧ୍ୟ ବିନାଚାଳକରେ ଟ୍ରେନ ଚଳାଇବା ପାଇଁ ଡିଏମଆରସି ଉଦ୍ୟମ କରିବେ। ଡିଏମଆରସି ଅଧିକାରୀଙ୍କ ଅନୁସାରେ ଆରମ୍ଭରୁ ମଜେଣ୍ଟା ଲାଇନ ଓ ପିଙ୍କ ଲାଇନରେ ଡ୍ରାଇଭରଲେସ୍ ଟ୍ରେନ ଚଳାଚଳର ଯୋଜନା ଥିଲା। ୨୦୧୭ରେ ମଜେଣ୍ଟା ଲାଇନରେ ଟ୍ରେନକୁ ବିନା ଡ୍ରାଇଭରରେ ଚଳାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ଡ୍ରାଇଭର ଦ୍ୱାରା ଟ୍ରେନ ଚଳାଯାଉଛି। ତେବେ ଏବେ କେବଳ ଟ୍ରେନକୁ ଡ୍ରାଇଭର ଷ୍ଟାର୍ଟ କରୁଥିବା ବେଳେ ତାହା ସିବିଟିସି ଟେକନିକ୍‌ରେ ମନକୁ ମନ ଚଳାଚଳ କରୁଛି ବୋଲି ସେ କହିଛନ୍ତି।

ଏବେ ଦିଲ୍ଲୀ ମେଟ୍ରୋକୁ ଡ୍ରାଇଭରଲେସ୍ କରିବା ଲାଗି ଡିଏମଆରସି ଲଗାତାର ପରୀକ୍ଷାନିରୀକ୍ଷା ଚଳାଇଛନ୍ତି। ଭାରତରେ ଏହି ଜ୍ଞାନକୌଶଳ ସମ୍ପୂର୍ଣ୍ଣ ନୂଆ ହୋଇଥିବାରୁ ପୂର୍ଣ୍ଣପ୍ରସ୍ତୁତି ସହ ପ୍ରଥମେ ମଜେଣ୍ଟା ଲାଇନରେ ଏହାକୁ ଚଳାଇବାକୁ ଯୋଜନା କରାଯାଉଛି। ଏଥିଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ଟ୍ରେନରେ ସହାୟକଙ୍କ ନିଯୁକ୍ତି ହେବ। ତେବେ ସେମାନେ ଟ୍ରେନ ଚଳାଇବେ ନାହିଁ। ଏମାନେ କ୍ୟାମେରା ମାଧ୍ୟମରେ କେବଳ ଯାତ୍ରୀଙ୍କ ଉପରେ ନଜର ରଖିବେ। ଯଦି ଯାତ୍ରୀ ଟ୍ରେନରେ ଯାତ୍ରା କାଳରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହୁଅନ୍ତି ସହାୟକ ସେମାନଙ୍କୁ ସାହାଜ୍ୟ କରିବେ। ୩୮ କିଲୋମିଟର ଦୀର୍ଘ ଏହି ଲାଇନରେ ବିନା ଡ୍ରାଇଭର ଟ୍ରେନର ଚଳାଚଳ ସଫଳ ହେଲେ ଅନ୍ୟ ଲାଇନରେ ମଧ୍ୟ ଏହାର ପ୍ରୟୋଗ ହେବ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.