ଗୋଟିଏ ଡୋଜ୍‌ରେ ହିଁ ୯୮ ପ୍ରତିଶତ କରୋନା ସଂକ୍ରମଣ ହେବାର ବିପଦ ନାହିଁ, ଅଧ୍ୟୟନରୁ ଖୁଲାସା

Published By : Prameya-News7 Bureau | June 14, 2021 IST

ନୂଆଦିଲ୍ଲୀ ୧୪।୦୬: ସମଗ୍ର ଦେଶରେ ସଂପ୍ରତି କରୋନା ମହାମାରୀକୁ ମାତ୍ ଦେବା ପାଇଁ ଟିକାକରଣ ଅଭିଯାନ ଜୋରଦାର ଚାଲିଛି। ଏହା ମଧ୍ୟରେ ଏକ ଗବେଷଣାରୁ ଖୁଲାସା ହୋଇଛି ଯେ, କରୋନା ଟିକାର ପ୍ରଥମ ଡୋଜ୍‌ ଲଗାଇଥିବା ବ୍ୟକ୍ତିଙ୍କୁ ୯୮ ପ୍ରତିଶତ ସଂକ୍ରମଣର ବିପଦ ନାହିଁ। ଚଣ୍ଡିଗଡ ପିଜିଆଇର ଡାକ୍ତରଙ୍କ ଏହି ଅଧ୍ୟୟନ କେନ୍ଦ୍ରୀୟ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଦେଶରେ ଜାରି ଟିକାରକଣ ଅଭିଯାନକୁ ନୂତନ ଜୀବନ ଦେଇଛି।

କେନ୍ଦ୍ରୀୟ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଚଣ୍ଡିଗଡ ପିଜିଆଇ ଯେଉଁ ରୋଗୀ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି ଏବଂ ଯେଉଁ ରୋଗୀ ଦୁଇଟି ଡୋଜ୍ ନେଇ ସାରିଛନ୍ତି, ସେମାନଙ୍କ ଉପରେ ଗବେଷଣା କରିଛି। ଅଧ୍ୟୟନରୁ ଜଣା ପଡିଛି ଯେ, ଯେଉଁ ରୋଗୀ ଗୋଟିଏ ଡୋଜ୍ ନେଇଛନ୍ତି ସେମାନଙ୍କଠାରେ ସଂକ୍ରମଣର ବିପଦ ମାତ୍ର ଦୁଇ ପ୍ରତିଶତ ଥିଲା ଏବଂ ଯେଉଁ ରୋଗୀ ଦୁଇଟି ଡୋଜ୍ ନେଇଛନ୍ତି ସେମାନଙ୍କଠାରେ ମଧ୍ୟ ସଂକ୍ରମଣର ବିପଦ ୨ ପ୍ରତିଶତ ରହିଥିଲା। ଅର୍ଥାତ ଅଧ୍ୟୟନରୁ ଜଣା ପଡିଛି ଯେ, ଟିକାର ପ୍ରଥମ ଡୋଜ୍ ଲାଗିବା ସହିତ କରୋନା ସଂକ୍ରମଣରୁ ବଞ୍ଚିବାର ସମ୍ଭାବନା ୯୮ ପ୍ରତିଶତ ରହିଛି।

କେନ୍ଦ୍ରୀୟ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟରେ ଦେଶର ଟିକାକରଣ ଉପରେ ନଜର ରଖୁଥିବା କମିଟିର ପ୍ରମୁଖ ଡ. ଏନକେ ଅରୋରା କହିଛନ୍ତି, ପିଜିଆଇର ଏହି ଗବେଷଣା ଦର୍ଶାଉଛି ଯେ, ଟିକାକରଣର ପ୍ରଥମ ଡୋଜ୍‌ରେ ହିଁ ଲୋକେ କରୋନା ଭାଇରସ୍‌ ସଂକ୍ରମଣରୁ ସୁରକ୍ଷିତ ହେବାରେ ଲାଗିଛନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ, କେବଳ ପ୍ରଥମ ଡୋଜ୍ ନିଆଯିବ। ଏମିତି କଦାପି ନୁହେଁ। କିନ୍ତୁ ଯେବେ ଟିକାର ଦ୍ଵିତୀୟ ଡୋଜ୍ ନିଆଯାଉଛି ତେବେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ଆହୁରି ବୃଦ୍ଧି ଘଟୁଛି। ଆଣ୍ଟିବଡି ଭାଇରସ୍ ବିରୋଧରେ ସଂପୂର୍ଣ୍ଣ ଲଢିବାକୁ ସକ୍ଷମ ହୋଇଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.