ନୂଆବର୍ଷରେ ବି ଯୁଦ୍ଧବିରତୀ ମାନିଲାନି ପାକିସ୍ତାନ, ନୌସେରାରେ ଗୁଳିଗୋଳ ମାଡ଼, ୧ ଜବାନ ସହିଦ
1/01/2021 at 10:35 PM

ଜମ୍ମୁ ୧।୧: ପାକିସ୍ତାନ ସେନା ଜାନୁଆରୀ ୧ ତାରିଖରେ ପୁଣି ଯୁଦ୍ଧବିରତୀ ଉଲ୍ଲଂଘନ କରିଛନ୍ତି। ଆତର୍କିତ ଗୁଳିଗୋଳା ମାଡ କରିବା ଯୋଗୁ ଜଣେ ଭାରତୀୟ ଜବାନ ସହିଦ ହୋଇଛନ୍ତି। ନୌସେରା ସେକ୍ଟରର ଅଗ୍ରୀମ ସେନା ପୋଷ୍ଟ ଉପରକୁ ସେମାନେ ଟାର୍ଗେଟ କରିଥିଲେ। ଅପରାହ୍ଣ ପ୍ରାୟ ୩ଟା ବେଳକୁ ଓ ପରେ ଅପରାହ୍ନ ୫ଟାରେ ସୀମା ସେପାରରୁ ଆକ୍ରମଣ କରିଥିଲେ।
ଭାରତୀୟ ସେନା ପାକ୍ କାର୍ଯ୍ୟାନୁଷ୍ଠାନର ଜବାବ ଦେଉଛନ୍ତି। ଅପରାହ୍ନ ପ୍ରାୟ ୩ଟା ୩୦ରେ ନୌସେରା ସେକ୍ଟରର ଏଲଓସିରୁ ପ୍ରଥମେ ହାଲୁକା ଅସ୍ତ୍ରଶସ୍ତ୍ରରୁ ଭାରତୀୟ ଚେକପୋଷ୍ଟକୁ ଟାର୍ଗେଟ କରାଯାଇଥିଲା। ତେବେ ଭାରତ ଏହାର ଜବାବ ଦେବାରୁ କିଛି ସମୟ ଲାଗି ଚୁପ ହୋଇଯାଇଥିଲେ। ପୁଣି ଆପରାହ୍ଣ ୫ଟାରେ ଦ୍ୱିତୀୟବାର ଗୁଳିଗୋଳା ବିନିମୟ ଆରମ୍ଭ ହୋଇଥିଲା।
ପ୍ରଥମ ଥର ଗୁଳି ବିନିମୟରେ ଭାରତର କୌଣସି କ୍ଷୟକ୍ଷତି ହୋଇ ନଥିଲା। ତେବେ ଦ୍ୱିତୀୟବାର ଆକ୍ରମଣ ବେଳେ ନାୟବ ସୁବେଦାର ରବୀନ୍ଦ୍ର ଗୁଲି ବାଜିବା ଯୋଗୁ ଆହତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଛି। ଗତ ୨୦୨୦ରେ ପାକିସ୍ତାନ ଏଲଓସି ଆଖପାଖରେ ୫ହଜାର ୧୦୦ ଥର ସଂଘର୍ଷବିରମ ଉଲ୍ଲଂଘନ କରିଥିଲା। ଏହି ସବୁ ଆକ୍ରମଣରେ ଭାରତର ୨୪ ଜଣ ସୁରକ୍ଷା କର୍ମୀଙ୍କ ସମେତ ମୋଟ ୩୬ ଜଣଙ୍କ ମୃତ୍ୟୁ ହୋଇଛି। ବର୍ଷଆରମ୍ଭରୁ ହିଁ ପାକ୍ ସେନା ତାର ପୁରୁଣା ହରକତ ଆରମ୍ଭ କରିଦେଇଛି।