ସୁପ୍ରିମକୋର୍ଟରେ କରୋନାଜନିତ ପ୍ରଥମ ମୃତ୍ୟୁ, ପ୍ରଶାସନିକ ଶାଖାର ଜଣେ କର୍ମଚାରୀ ପ୍ରାଣ ହରାଇଲେ

Published By : Prameya-News7 Bureau | November 23, 2020 IST

ନୂଆଦିଲ୍ଲୀ ୨୩।୧୧: ଦିଲ୍ଲୀରେ ପୁଣି ଥରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ କରୋନା ଭାଇରସ୍ ସୁପ୍ରିମକୋର୍ଟରେ ପହଞ୍ଚି ସାରିଲାଣି । ସୁପ୍ରିମକୋର୍ଟର ପ୍ରଶାସନିକ ଶାଖାର ଜଣେ କର୍ମଚାରୀଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ସୁପ୍ରିମକୋର୍ଟରେ କରୋନା ଭାଇରସ୍ ଯୋଗୁଁ କର୍ମଚାରୀଙ୍କ ମୃତ୍ୟୁ ହେବା ଏହା ହେଉଛି ପ୍ରଥମ ଘଟଣା । କରୋନା ଭାଇରସ୍ ସଂକ୍ରମଣଙ୍କୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଲାଗୁ ହେବାର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ୨୩ ମାର୍ଚ୍ଚରୁ ସୁପ୍ରିମକୋର୍ଟରେ ଭିଡିଓ କନଫରେନ୍ସିଂ ଜରିଆରେ ମାମଲାର ଶୁଣାଣି କରାଯାଉଛି ।

ସୁପ୍ରିମକୋର୍ଟର ଜଣେ ଅଧିକାରୀ କହିଛନ୍ତି ଯେ, ମୃତକ ସୁପ୍ରିମକୋର୍ଟର ପ୍ରଶାସନିକ ବିଭାଗରେ କାର୍ଯ୍ୟରତ ଥିଲେ । ତାଙ୍କର ଶନିବାର ଦିନ ମୃତ୍ୟୁ ହୋଇଛି । ୫ ଦିନ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ଜଣାପଡିଛି । ତାଙ୍କ ପରିବାରରେ ପତ୍ନୀ ଏବଂ ତିନି ଝିଅ ଅଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ରବିବାର କରୋନା ଭାଇରସ୍ ସଂକ୍ରମଣରେ ୬୭୪୬ ନୂଆ ମାମଲା ଆସିଛି । ଏହାସହ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫.୨୯ ଲକ୍ଷରୁ ଅଧିକ ହୋଇସାରିଲାଣି । ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣରେ ୧୨୧ ଜଣଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.