ପଦବୀରେ ଯୋଗେଦେଲେ ଦେଶର ପ୍ରଥମ ନେତ୍ରହୀନ ମହିଳା ଆଇଏସ୍ ଅଫିସର, ଆପଣ ବି ଜାଣନ୍ତୁ ତାଙ୍କ ଜୀବନ ସଂଘର୍ଷର କଥା
14/10/2019 at 3:45 PM

ତିରୁଅନ୍ତପୁରମ : ଦେଶର ପ୍ରଥମ ନେତ୍ରହୀନ ମହିଳା ଆଇଏଏସ୍ ଅଫିସର ପ୍ରାଞ୍ଜଲ ପାଟିଲ ସୋମବାର ତିରୁଅନନ୍ତପୁରମ ଉପ କଲେକ୍ଟର ଭାବେ ତାଙ୍କର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ କେରଳ ଏର୍ଣ୍ଣାକୁଲମ ଜିଲ୍ଲାର ସହାୟକ କଲେକ୍ଟର ଭାବେ ଅବସ୍ଥାପିତ ଥିଲେ। ୨୦୧୭ ମସିହା ୟୁପିଏସସି ପରୀକ୍ଷାରେ ପ୍ରାଞ୍ଜଳ ପ୍ରଥମ ଚେଷ୍ଟାରେ ଆଇଏଏସ୍ ପାଇଥିଲେ। ସର୍ବଭାରତୀୟ ସ୍ତରରେ ୧୨୪ ରାଙ୍କ ପ୍ରାପ୍ତ କରିଥିଲେ। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ମେଧାବୀ ମହିଳାଙ୍କୁ ଏକଦା ରେଳବାଇ ଚାକିରୀ ଦେବାକୁ ମନା କରିଦେଇଥିଲା। ଯାହା ସାରା ଦେଶର ଗଣମାଧ୍ୟମର ଶିରୋନାମା ପାଲଟିଥିଲା।

ପ୍ରାଞ୍ଜଳ ରେଳବାଇ ଲେଖାସେବା (ଆଇଆରଏସ) ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ। ତେବେ ଯେତେବେଳେ ଟ୍ରେନିଂ ଲାଗି ପହଞ୍ଚିଲେ ରେଳବାଇ ତାଙ୍କୁ ନିଯୁକ୍ତି ଦେବାକୁ ସଫାସଫା ମନା କରିଦେଇଥିଲେ। ଶତ ପ୍ରତିଶତ ନେତ୍ରହୀନ ଜଣେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ରେଳବାଇ କହିଥିଲେ। ରେଳବାଇଙ୍କ ଅପମାନରେ କିନ୍ତୁ ହାରିଯାଇନଥିଲେ ପ୍ରାଞ୍ଜଲ ନିଜର ସଂଘର୍ଷ ଜାରି ରଖିଥିଲେ ଓ ସଂଘୀୟ ଲୋକସେବା ଆୟୋଗ ପରୀକ୍ଷା ଦେଇଥିଲେ। ପ୍ରଥମ ଚେଷ୍ଟାରେ ସେ ୧୨୪ ତମ ରାଙ୍କରେ ରହିଥିବା ବେଳେ ପ୍ରଶିକ୍ଷଣ ସମାପ୍ତ କରି କେରଳ କ୍ୟାଡରରେ ଯୋଗଦେଇଛନ୍ତି।

ପିଲାଟିଦିନରୁ ପ୍ରାଞ୍ଜଳ ଜଣେ ଆଇଏଏସ୍ ଅଫିସର ହେବାର ଅଭିଳାଶ ରଖିଥିଲେ। ଯାହା ସେ ପୁରଣ କରିବାରେ ସକ୍ଷମ ହୋଇଛନ୍ତି। ମହାରାଷ୍ଟ୍ର ଉଲ୍ଲାସ ନଗରର ପ୍ରାଞ୍ଜଲ ସେହିମାନଙ୍କ ଲାଗି ଉଦାହରଣ ଯେଉଁମାନେ ପରିସ୍ଥିତିକୁ କାରଣ ଭାବି ଜୀବନ ସଂଗ୍ରାମରେ ହାର ସ୍ୱୀକାର କରିଯାଉଛନ୍ତି। ଦୁନିଆର ଆଲୋକ ଦେଖିନଥିବା ପ୍ରାଞ୍ଜଲ ଏବେ ସେହିମାନଙ୍କର ଜୀବନକୁ ଆଲୋକିତ କରିବାକୁ ଚାହାଁନ୍ତି ଯେଉଁମାନେ ସମାଜର ଶେଷ ଧାଡିରେ ରହିଛନ୍ତି।