ଆସନ୍ତା ସପ୍ତାହରେ କାନପୁରରେ ପହଞ୍ଚିବ ସ୍ପୁଟୋନିକ-୫ର ପ୍ରଥମ ବ୍ୟାଚ୍, କରାଯିବ ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

Published By : Prameya-News7 Bureau | November 15, 2020 IST

କାନପୁର ୧୫।୧୧: କୋଭିଡ୍-୧୯ ସଂକ୍ରମଣର ପ୍ରତିରୋଧ ପାଇଁ ରୁଷର ସ୍ପୁଟୋନିକ-୫ ଟୀକାର ପ୍ରଥମ ଟ୍ରିପ୍‌ ଆଗାମୀ ସପ୍ତାହରେ କାନପୁରର ଗଣେଶ ଶଙ୍କର ବିଦ୍ୟାର୍ଥୀ ମେଡିକାଲ କଲେଜ ପହଞ୍ଚିବାର ସମ୍ଭାବନା ରହିଛି। ସରକାରୀ ସୂଚନା ଅନୁଯାୟୀ, ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ)ରୁ ଡାକ୍ତର ରେଡ୍ଡୀ ଲ୍ୟାବ୍‌କୁ ଅନୁମୋଦନ ମିଳିବା ପରେ ଟୀକାର ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ କରାଯିବ।

କଲେଜ୍‌ର ପ୍ରିନ୍ସିପାଲ ଆରବକି କମଲ କହିଛନ୍ତି, ଭ୍ୟାକସିନର ମାନବ ପରୀକ୍ଷଣ ଆସନ୍ତା ସପ୍ତାହରୁ ଆରମ୍ଭ ହେବ। ଏହି ପରୀକ୍ଷଣ ପାଇଁ ୧୮୦ ଜଣ ସ୍ଵେଚ୍ଛାକୃତ ନିଜର ନାମ ପଞ୍ଜୀକରଣ କରିଛନ୍ତି। ଗବେଷଣାର ମୁଖ୍ୟ ସୌରଭ ଅଗ୍ରଓ୍ଵାଲ ଟୀକାର ଡୋଜ୍‌ ନିର୍ଦ୍ଧାରଣ କରିବେ। ସମ୍ବନ୍ଧିତ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ୍ ଦେବା ପରେ ଏହା ସ୍ଥିର କରାଯିବ ଯେ, ତାଙ୍କୁ ଆଗକୁ ଆଉ ଡୋଜ୍ ଦିଆଯିବ କି ନାହିଁ। ପ୍ରଥମ ଡୋଜ୍ ଦେବା ପରେ ବ୍ୟକ୍ତିଙ୍କର ଶରୀର ନିୟମିତ ଯାଞ୍ଚ କରାଯିବ। ଏହା ପରେ ସ୍ଥିର କରାଯିବ ଯେ, ଦ୍ଵିତୀୟ ଡୋଜ୍ ଦରକାର ହେବ କି ନାହିଁ।

କମଲ କହିଛନ୍ତି ବ୍ୟକ୍ତିଙ୍କ ଉପରେ କରାଯାଉଥିବା ପରୀକ୍ଷଣର ତଥ୍ୟ ଆଧାରରେ ସ୍ଥିର କରାଯିବ ଯେ, ଟୀକାର ସକରାତ୍ମକ ଫଳାଫଳ ମିଳୁଛି କି ନାହିଁ। ସେ କହିଛନ୍ତି ପ୍ରଥମ କିମ୍ବା ଦ୍ଵିତୀୟ ଥର ଟୀକା ଦେବା ପରେ ଏହାର ପ୍ରଭାବକୁ ସାତ ମାସ ପର୍ଯ୍ୟନ୍ତ ଅଧ୍ୟୟନ କରାଯିବ। ଟୀକାର ପ୍ରଭାବକୁ ଗୋଟିଏ ମାସ ନୀରିକ୍ଷଣ କରିବା ପରେ ଅଧିକାରୀଙ୍କୁ ଏହି ବିଷୟରେ ଅବଗତ କରାଯିବ ଏବଂ ଏହା ଅନୁଯାୟୀ  ହିଁ ନିଷ୍ପତ୍ତି ନିଆଯିବ। କଲେଜର ଏଥିକ୍ସ କମିଟି ଏହି ପରୀକ୍ଷଣକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ଭ୍ୟାକସିନକୁ ୦ରୁ  ବିଯୁକ୍ତ ୨୦ରୁ ନେଇ ୭୦ ଡିଗ୍ରୀ ସେଲସିୟସ ମଧ୍ୟରେ ରଖାଯିବ।

୨୦୨୦ ସେପ୍ଟେମ୍ବରରେ ଡାକ୍ଟର ରେଡ୍ଡୀ ଓ ଆରଡିଆଇଏଫ ସ୍ପୁଟୋନିକ-୬ ଟୀକାର କ୍ଲିନିକଲ ପରୀକ୍ଷଣ ଏବଂ ଭାରତରେ ଏହାର ବିତରଣ ପାଇଁ ଚୁକ୍ତି କରିଥିଲେ। ଚୁକ୍ତି ଅନୁଯାୟୀ ରୁଷ ସ୍ପୁଟନିକ-୫ର ୧୦ କୋଟି ଡୋଜ୍ ଭାରତକୁ ଯୋଗାଇ ଦେବ। ଗତ ଅଗଷ୍ଟ ୧୧ ତାରିଖରେ ସ୍ପୁଟୋନିକ-୫କୁ ରୁଷର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପଞ୍ଜୀକୃତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.