ଦିଲ୍ଲୀ ଦଙ୍ଗା : କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ପ୍ରଥମ ଅଭିଯୁକ୍ତ, ଡିସେମ୍ବର ୨୨ରେ ହେବ ଦଣ୍ଡ ଘୋଷଣା

Published By : Prameya-News7 Bureau | December 07, 2021 IST

ନୂଆଦିଲ୍ଲୀ ୭।୧୨: ଗତବର୍ଷ ଫେବୃଆରୀ ମାସରେ ହୋଇଥିବା ଦିଲ୍ଲୀ ଦଙ୍ଗା ମାମଲାରେ କୋର୍ଟ ପ୍ରଥମ ଅଭିଯୁକ୍ତଙ୍କୁ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ଦିନେଶ ଯାଦବକୁ କୋର୍ଟ ମାମଲାରେ ଦୋଷୀ ଘୋଷଣା କରିଥିବା ବେଳେ ଡିସେମ୍ବର ୨୨ ତାରିଖ ଦିନ ଦଣ୍ଡ ଘୋଷଣା କରାଯିବ ବୋଲି କହିଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ଦଙ୍ଗା ମାମଲାରେ କଡକଡଡୁମା କୋର୍ଟ ଏକ ରାୟ ଘୋଷଣା କରିଥିଲେ। ହେଲେ ଅଭିଯୁକ୍ତଙ୍କ ବିରୋଧରେ ଆବଶ୍ୟକ ସାକ୍ଷ ଓ ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଦେଇଥିଲେ।

ଉତ୍ତର-ପୂର୍ବ ଦିଲ୍ଲୀ ଗୋକୁଲପୁରୀ ଅଞ୍ଚଳରେ ହୋଇଥିବା ଦଙ୍ଗା ଲାଗି ଦିନେଶ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛି। ମୋକଦ୍ଦମାର ବିବରଣୀ ଅନୁସାରେ ୨୫ ଫେବୃଆରୀ ରାତିରେ ମନୋରୀ ନାମ୍ନୀ ଜନୈକା ବୃଦ୍ଧାଙ୍କ ଘର ଉପରେ ଶତାଧିକ ଦଙ୍ଗାକାରୀ ଆକ୍ରମଣ କରିଥିଲେ। ତାଙ୍କ ଘର ଲୁଟପାଟ କରିବା ସହ ନିଆଁ ଲଗାଇ ପଳାଇଥିଲେ। ଦିନେଶ ଜଳାପୋଡା କରିଥିବା ଲୋକଙ୍କ ମଧ୍ୟରେ ଥିଲା। ତା ବିରୋଧରେ ଗୋକୁଲପୁରୀ ଥାନାରେ ଦିଆଯାଇଥିବା ଏତଲା ଆଧାରରେ ପୋଲିସ ତାକୁ ଜୁନ ୨୦୨୦ରେ ଗିରଫ କରିଥିଲା।

{"id":555922,"width":840,"height":470,"sizeSlug":"full","linkDestination":"none"}

ଦିନେଶ ପକ୍ଷରୁ କୋର୍ଟରେ ପୋଲିସ ଘଟଣାର ସିସିଟିଭି ଫୁଟେଜ ରଖି ନଥିବାର ତର୍କ କରାଯାଇଥିଲା। ସେହି ପରି ମାମଲା ନେଇ ପୋଲିସ ବିଳମ୍ବରେ ସାକ୍ଷମାନଙ୍କ ବୟାନ ରେକର୍ଡ କରିଥିଲା। ଏଣୁ ମାମଲାରେ ସାକ୍ଷୀ ଦେଇଥିବା ଲୋକଙ୍କ ଉପରେ ମଧ୍ୟ ଦିନେଶର ଓକିଲ କୋର୍ଟରେ ସନ୍ଦେହ ପ୍ରକଟ କରିଥିଲେ। ତେବେ ପୋଲିସ ପକ୍ଷରୁ ରଖା ଯାଇଥିବା ତର୍କ ଆଗରେ ଦିନେଶର ଓକିଲ ରଖିଥିବା ତର୍କ କାମ କରିନଥିଲା। ମାମଲାରେ ନିଜେ ପୀଡିତା ଦିନେଶକୁ କୋର୍ଟରେ ଚିହ୍ନଟ କରିଥିଲେ।

ଏଣୁ ସାକ୍ଷ ଓ ପ୍ରମାଣ ଆଧାରରେ କଡକଡଡୁମା କୋର୍ଟଙ୍କ ଅତିରିକ୍ତ ସେସନ ଜଜ୍ ବିରେନ୍ଦ୍ର ଭଟ୍ଟ ଦିନେଶ ଯାଦବଙ୍କୁ ଭିଡ ସହ ଯାଇ ଦଙ୍ଗା ଭିଆଇବା, ଘରପୋଡିବା ଓ ଲୁଟପାଟ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାରେ କେବଳ ପୀଡ଼ିତ ନୁହନ୍ତି ଅନ୍ୟ କିଛି ଲୋକେ ମଧ୍ୟ ଦିନେଶକୁ କୋର୍ଟରେ ଦଙ୍ଗାକାରୀ ଭାବେ ଚିହ୍ନଟ କରିଥିଲେ। ସିଏଏକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ଉତ୍ତେଜନା ବେଳେ ଦିଲ୍ଲୀରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହାକୁ ନେଇ ଦଙ୍ଗାର ସୂତ୍ରପାତ ହୋଇଥିବା ବେଳେ ଦିଲ୍ଲୀ ପୋଲିସ ୭୫୦ଟି ମୋକଦ୍ଦମା ରୁଜୁ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.