୮୭ ବର୍ଷ ପୂର୍ବେ ଦେଶରେ ଚଳାଯାଇଥିଲା ପ୍ରଥମ ବାତାନୁକୂଳ ଟ୍ରେନ୍, ଜାଣନ୍ତୁ କିପରି ଶୀତଳିକରଣ ହେଉଥିଲା ବଗି

Published By : Prameya-News7 Bureau | November 07, 2021 IST

ନୂଆଦିଲ୍ଲୀ ୭।୧୧: ଭାରତୀୟ ରେଳଙ୍କ ଇତିହାସ ଯେତିକି ଦୀର୍ଘ ସେତିକି ରୋମାଞ୍ଚକର ମଧ୍ୟ। ୧୮୫୩ ମସିହାରେ ଦେଶରେ ବମ୍ବେ-ଠାଣେ ପ୍ରଥମ ଯାତ୍ରୀ ଟ୍ରେନସେବା ଆରମ୍ଭ ହେବା ପରଠାରୁ ଏଥିରେ ଅନେକ କ୍ରମ ପରିବର୍ତ୍ତନ ହୋଇଛି। ଯେବେ ବିଶ୍ୱରେ ବାତାନୁକୂଳ(ଏୟାର କଣ୍ଡିସନ)ର ପରିକଳ୍ପନା ବି ହୋଇ ନଥିଲା ଗ୍ରୀଷ୍ମପ୍ରବଣ ଭାରତରେ ପ୍ରଥମ କରି ବାତାନୁକୂଳିତ ଟ୍ରେନ ଚାଲିଥିବାର କହିଲେ ହୁଏତ ଆଜିର ଦିନରେ କେହି ବିଶ୍ୱାସ ବି କରିବେନି, ହେଲେ ଏହା ବାସ୍ତବତା। ୮୭ ବର୍ଷ ପୂର୍ବେ ଭାରତରେ ପ୍ରଥମ ଏସି ଟ୍ରେନ୍‌ ସେବା ଆରମ୍ଭ ହୋଇଥିଲା।

ଦେଶରେ ଏସି ବଗି ସମ୍ପନ୍ନ ପ୍ରଥମ ଟ୍ରେନ୍‌ ଥିଲା ଫ୍ରଣ୍ଟିୟର ମେଲ୍।   ଆଜକୁ ୯୩ ବର୍ଷ ପୂର୍ବେ ୧୯୨୮ ମସିହାରେ ଏହି ଟ୍ରେନର ପ୍ରଚଳନ ହୋଇଥିଲା। ପ୍ରଥମେ ଏହି ଟ୍ରେନର ନାମ ଥିଲା ‘ପଞ୍ଜାବ ମେଲ’। ୧୯୩୪ ମସିହାରେ ଏହି ଟ୍ରେନ୍‌ରେ ବାତାନୁକୂଳିତ ବଗି ସଂଯୁକ୍ତ କରାଯିବା ସହ ଏହାର ନାମ ବଦଳାଇ ଫ୍ରଣ୍ଟିୟର ମେଲ କରାଯାଇଥିଲା। ତତ୍କାଳୀନ ଟ୍ରେନ ସେବାରେ ଏହା ଥିଲା ସର୍ବାଧୁନିକ। ଗ୍ରୀଷ୍ମ ଋତୁରେ ପ୍ରଥମ ଥର ଭାରତୀୟ ଲୋକେ ଏକଦମ ଥଣ୍ଡାରେ ଯାତ୍ରା କରିବାର ପ୍ରଥମ ଅନୁଭବ ପ୍ରାପ୍ତ କରିଥିଲେ।

{"id":540221,"width":840,"height":499,"sizeSlug":"full","linkDestination":"none"}

ହୁଏତ ସେତେବେଳେ ଏହି ଟ୍ରେନ୍‌ର ଚାହିଦା ରାଜଧାନୀ ଏକ୍ସପ୍ରେସ୍ ଅଥବା ତା ଠାରୁ ଢେର ଅଧିକ ନିଶ୍ଚିତ ଥିଲା। ନ ହେବ ବା କିପରି ଏଥିରେ କେବଳ ସେବେକାର ଇଂରେଜ ଅଧିକାରୀ ଓ ଇଲାଇଟ ବର୍ଗିୟ ଭାରତୀୟଙ୍କୁ ହିଁ ଯାତ୍ରା ସୁଯୋଗ ମିଳିପାରୁଥିଲା। ଆଜିକାଲିକା ଭଳି ସେତେବେଳେ ଏସି ନାମରେ କୌଣସି ଉପକରଣ ହିଁ ନଥିଲା। ନା ସେଥିରେ ସେପରି କିଛି ବିଶେଷ ଉପକରଣ ଲଗାଯାଇଥିଲା। ତେବେବି ଗ୍ରୀଷ୍ମରେ ଟ୍ରେନଯାତ୍ରାକୁ ଭାରତରେ ଶୀତଳତମ କରାଯାଇ ପାରୁଥିଲା, ଯେ କେହିବି ଜାଣିଲେ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ। ଟ୍ରେନର ବାତାନୁକୂଳିକ ବଗିଗୁଡିକୁ ଥଣ୍ଡା ରଖିବା ଲାଗି ଭିନ୍ନ ଉପାୟ ଅବଲମ୍ବନ କରାଯାଉଥିଲା।

ଟ୍ରେନର ବଗିଗୁଡିକ ଥଣ୍ଡା କରିବା ପାଇଁ ସେତେବେଳେ ସେଥିରେ ବଡବଡ ବରଫଖଣ୍ଡ ସବୁ ଭରି ଦିଆଯାଉଥିଲା। ଯାହା ପବନବାଜି ବଗିକୁ ଶୀତଳ କରୁଥିଲା ଠିକ ଆଜିର ଏସି ବଗି ପରି। ସେତେବେଳେ ଫ୍ରଣ୍ଟିୟର ମେଲ ମୁମ୍ବାଇ (ତତ୍କାଳୀନ ବମ୍ବେ)ରୁ ଆଫଗାନିସ୍ତାନ ସୀମା ପେଶାବର ପର୍ଯ୍ୟନ୍ତ ଚାଲୁଥିଲା। ଏହି ଦୂରତ୍ୱକୁ ମେଲ ୭୨ ଘଣ୍ଟାରେ ପାର କରୁଥିଲା। ଏହି ମେଲରେ ଯାତ୍ରା କାଳରେ ଯାତ୍ରୀଙ୍କୁ ଫାଷ୍ଟ ଓ ସେକେଣ୍ଡ କ୍ଲାସ୍‌ ଅନୁସାରେ ଖାଦ୍ୟ ବି ପରସା ଯାଉଥିଲା।

{"id":540222,"width":839,"height":551,"sizeSlug":"full","linkDestination":"none"}

ଯାତ୍ରା କାଳରେ ଏସି ବଗିଗୁଡିକୁ ଥଣ୍ଡା କରିବା ଲାଗି ନିର୍ଦ୍ଧାରିତ ଷ୍ଟେସନମାନଙ୍କରେ ଟ୍ରେନରେ ବରଫ ଲଦା ଯାଉଥିଲା। ଏହି ଟ୍ରେନରେ ସାଧାରଣ ଲୋକଙ୍କୁ ଯାତ୍ରା ଲାଗି ଅନୁମତି ନଥିଲା। ତେବେ ଏଥିରେ ପ୍ରଶିଦ୍ଧ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଜାତିର ଜନକ ମହାତ୍ମା ଗାନ୍ଧି ଯାତ୍ରା କରିଥିବାର ରେକର୍ଡ ରହିଛି। ଏହି ଟ୍ରେନର ସବୁଠୁ ଯାହା ବଡ଼ କଥା ତାହା ହେଉଛି ଏହା ନିୟମିତ ସମୟରେ ଚାଲୁଥିଲା। କେବେବି ଲେଟ୍ ହେବାର ନଜିର ନଥିଲା। ୧୯୩୪ମସିହାରେ ଯାତ୍ରା ଆରମ୍ଭର ୧୧ ମାସ ପରେ ଥରଟିଏ ଟ୍ରେନର ଯାତ୍ରା ବିଳମ୍ବ ହୋଇଥିଲା। ଟ୍ରେନ ବିଳମ୍ବିତ ହେବାରୁ ସରକାର ଚାଳକଙ୍କୁ ସୋକଜ୍ ନୋଟିସ୍ ଜାରି କରିଥିଲେ।

୧୯୪୦ ମସିହା ପର୍ଯ୍ୟନ୍ତ ଟ୍ରେନରେ ମୋଟ ୬ଟି ବଗି ଥିଲା। ଏଥିରେ ପାଖାପାଖି ୪୫୦ ଜଣ ଯାତ୍ରା କରିପାରୁଥିଲେ। ଯାତ୍ରାକାଳରେ ଟ୍ରେନରେ ଯାତ୍ରୀଙ୍କୁ ଖାଦ୍ୟ, ଚା ଓ ଜଳଖିଆ ବ୍ୟତୀତ ତାସ୍, ପଢିବାକୁ ବହି ଓ ଖବରକାଗଜ ମଧ୍ୟ ମିଳୁଥିଲା। ସ୍ୱାଧୀନତା ପରେ ଟ୍ରେନର ଯାତ୍ରା ପଥ ହ୍ରାସ ହୋଇଥିଲା। ମୁମ୍ବାଇରୁ ଅମୃତସର ପର୍ଯ୍ୟନ୍ତ ଚାଲିଥିଲା ଫ୍ରଣ୍ଟିୟର ମେଲ। ୧୯୯୬ ମସିହାରେ ଟ୍ରେନର ନାମ ବଦଳାଇ ‘ଗୋଲ୍ଡେନ ଟେମ୍ପଲ ମେଲ’ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.